କାଳ ହେଲା ମଉଜ: ଡମଣୀ ଡ୍ୟାମରେ ବୁଡ଼ି ଯାଇ ଯୁବକ ନିଖୋଜ
#ଚୌଦ୍ୱାର(ଏନ୍.ଏମ୍.): ବ୍ୟସ୍ତବହୁଳ ଜୀବନରୁ ଟିକିଏ ଫୁରୁସତ ମିଳିଲେ ମଉଜ କରିବା ପାଇଁ ସମସ୍ତଙ୍କ ଇଚ୍ଛା । ହେଲେ କିଏ ବା ଜାଣିଛି ମଉଜ କରିବାକୁ ଆସି ସର୍ବନାଶର ସମ୍ମୁଖିନ ହେବେ । ସୂଚନା ଯୋଗ୍ୟ ଯେ, କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ସବୁଜ ବନାନୀ ମଧ୍ୟରେ ରହିଛି ପର୍ଯ୍ୟଟନସ୍ଥଳୀ ଡମଡମଣୀ ପୀଠ । ପାହାଡ଼ ଝରଣା ପରିବେଷ୍ଟିତ ଘଞ୍ଚ ଜଙ୍ଗଲ ଭିତରେ ନିଆରା ମଜା ଉଠାଇବାକୁ କାହିଁ କେତେ ଆଡ଼ୁ ଏଠାକୁ ଧାଇଁ ଆସନ୍ତି । ତେବେ ଆଜି ରବିବାର ଥିବାରୁ ଆଜି ଡମଣୀ ଡ୍ୟାମରେ ମଉଜ କରିବାକୁ ଆସିଥିଲେ ୪ଜଣ ଯୁବକ । କିନ୍ତୁ ଅସାବଧାନତା ଯୋଗୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଡ୍ୟାମରେ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଆଜି କଟକ ସିଡିଏ ଅଞ୍ଚଳର ୪ ଜଣ ଯୁବକ ଭୋଜି କରିବାକୁ ଏଠାକୁ ଆସିଥିଲେ । ସେମାନେ ଭୋଜି କରିବା ସହ ଡ୍ୟାମରେ ଗାଧୋଇବାର ମଜା ନେଉଥିଲେ । ହେଲେ ଗାଧୋଇବାବେଳେ ଅଂଶୁମାନ ନାୟକ ନାମକ ଜଣେ ଯୁବକ ଡ୍ୟାମରେ ବୁଡ଼ିଯାଇଥିଲେ । ତେବେ ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଚୌଦ୍ୱାର ସ୍ଥିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ଅଂଶୁମାନଙ୍କ କୌଣସି ଖୋଜ ଖବର ମିଳିନାହିଁ ।