କାଳିଆବୁଦା ଶ୍ମଶାନରେ ଆରମ୍ଭ ହେଲା ନିଶୁକ୍ଲ କୋଭିଡ ମୃତକଙ୍କ ଶବଦାହ କାର୍ଯ୍ୟ

କାଳିଆବୁଦା ଶ୍ମଶାନରେ ଆରମ୍ଭ ହେଲା ନିଶୁକ୍ଲ କୋଭିଡ ମୃତକଙ୍କ ଶବଦାହ କାର୍ଯ୍ୟ

କାଳିଆବୁଦା ଶ୍ମଶାନରେ ଆରମ୍ଭ ହେଲା ନିଶୁକ୍ଲ କୋଭିଡ ମୃତକଙ୍କ ଶବଦାହ କାର୍ଯ୍ୟ


କଟକ(ଏନ୍‍.ଏମ୍‍.): କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ଏବଂ ସନ୍ଦିଗ୍ଧଙ୍କର ଶବଦାହ କାର୍ଯ୍ୟ ବୁଧବାର ଠାରୁ କାଳିଆବୁଦା ଶ୍ମଶାନରେ ଆରମ୍ଭ ହୋଇଛି । ସିଏମସି ପକ୍ଷରୁ ଶବଦାହ ଲାଗି ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ନିଶୁକ୍ଳରେ ଏହି ସେବା ଯୋଗାଇଦିଆଯିବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ଶବ ଦାହ ଲାଗି ୧୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରତି ଶବ ପିଛା ଅଢେଇ କ୍ୱାଣ୍ଟାଲରୁ ଊର୍ଦ୍ଧ୍ୱ କାଠ ପ୍ରଦାନ କରାଯାଇଛି । ଶବ ଦାହ କାର୍ଯ୍ୟରେ ଅସ୍ଥି ଲାଗି ଘଡି, ଘିଅ, ଝୁଣା, ଧୂପ, ପଇଡ ଇତ୍ୟାଦି ସାମଗ୍ରୀ ସିଏମସି ପକ୍ଷରୁ ପ୍ରଦାନ କରାଯିବ । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ କରୋନା ସଂକ୍ରମିତ ହୋଇ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ସହରର ବିଭିନ୍ନ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କାହାର କରୋନାଜନିତ ମୃତ୍ୟୁ ଘଟୁଛି ତ ଆଉ କିଏ କରୋନା ଲକ୍ଷଣ ରହିଥିଲେ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁ ଘଟୁଛି । ସେମାନଙ୍କ ଶବଦାହ ଲାଗି ସିଏମସି ପକ୍ଷରୁ ସତୀଚଉରା ଶ୍ମଶାନରେ ବ୍ୟବସ୍ଥା କରାଯାଇଛି । ସତୀଚଉରାରେ ଭିଡ ପରିଲକ୍ଷିତ ହେଉଥିବାରୁ ସିଏମସି ପକ୍ଷରୁ କାଳିଆବୁଦା ଶ୍ମଶାନରେ ଶବଦାହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ‘ଆଶା’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଶବ ସତ୍କାର ଲାଗି ଦାୟିତ୍ୱ ଦିଆଯାଇଛି । ପ୍ରତି ଶବସତ୍କାର ବାବଦକୁ ୩ ହଜାର ୪୫୦ ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯିବ । ତେବେ କୌଣସି ମୃତକଙ୍କ ପରିବାର ଶବ ସତ୍କାର ଲାଗି ଟଙ୍କା ନଦେବାକୁ ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୂଚନା ଥାଉକି, ଗତବର୍ଷ ସିଏମସି ପକ୍ଷରୁ କରୋନା ମୃତକଙ୍କ ଶବ ଦାହ ଉକ୍ତ ଶ୍ମଶାନରେ କରାଯାଉଥିଲା । ହେଲେ ଜନବସତି ନିକଟରେ ଶ୍ମଶାନ ଥିବାରୁ କରୋନା ମୃତକଙ୍କ ଶବ ସତ୍କାରକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରିଥିଲେ । ଫଳରେ ଏହାକୁ ବନ୍ଦ ରଖାଯାଇଥିଲା । ତେବେ ତୃତୀୟ ଲହରୀକୁ ଦୃଷ୍ଟିରେ ରଖିଏହାକୁ ଶୁଭାରମ୍ଭ କରାଯାଇଛି । ପ୍ରଥମ ଦିନରେ ୧୦ଟି ଶବ ଦାହ କରାଯାଇଥିବା ସୂଚନା ଦିଆଯାଇଛି । ସେହିଭଳି କାଳିଆବୁଦା ଶ୍ମଶାନ ନିକଟରେ ଓଡିଶା ମୋ ପରିବାର ପକ୍ଷରୁ ହେଲ୍ପ ଡେସ୍କ ମଧ୍ୟ ଖୋଲାଯାଇଛି । ଉକ୍ତ ହେଲ୍ପରେ କରୋନା ରୋଗୀ ଏବଂ ସନ୍ଦିଗ୍ଧମାନଙ୍କର ଶବ ସତ୍କାର କାର୍ଯ୍ୟରେ ମୃତକଙ୍କ ପରିବାର ବର୍ଗଙ୍କୁ ପିପିଇ କିଟ, ମାସ୍କ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯିବ । ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶା ସଙ୍ଗଠନର ସଭାପତି ଲିପନ କୁମାର ଦାସ, ସମ୍ପାଦକ ନିତ୍ୟସୁନ୍ଦର ନାୟକ ଏବଂ ବିଶ୍ୱ ବିଜେତା ଫାଉଣ୍ଡେସନର ସଭାପତି ମାନସ କୁମାର ନନ୍ଦ, ସମ୍ପାଦକ ବିଶ୍ୱ ବିଜେତା ପାତ୍ରଙ୍କ ସମେତ ବହୁ କର୍ମକତାବୃନ୍ଦ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ