କାଲିଠୁ ଛେଚିବ ବର୍ଷା: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ପୁଣି ବର୍ଷା ଛେଚିବ । ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହେବାର ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ତେବେ ଆସନ୍ତା ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ । ତାହାର ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା କାଲି ପାଇଁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେହିଭଳି ୨୬ ତାରିଖ ପାଇଁ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଆଦି ୪ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଥିବାବେଳେ ଆସନ୍ତା୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।