କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା
କଟକ(ଏନ୍.ଏମ୍.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବୋର୍ଡ ପକ୍ଷରୁ ସମସ୍ତ ପର୍ଯ୍ୟାୟ ଚୂଡାନ୍ତ ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ । ବିନା ମାସ୍କରେ ପରୀକ୍ଷା କେନ୍ଦ୍ରକୁ ବାରଣ କରାଯାଇଛି । ସେହିପରି ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ, ସ୍କାର୍ଡ ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ ଫୋନ ନିଷେଦ୍ଧ ହୋଇଛି । ପରୀକ୍ଷା ସମୟରେ କୌଣସି ବ୍ୟକ୍ତିଙ୍କ ନିକଟରେ ମୋବାଇଲ ଫୋନ ରହିବ ନାହିଁ । କୋଭିଡ ଗାଇଡ ଲାଇନ ଅନୁଯାୟୀ ପରୀକ୍ଷା କରାଯିବ । ଏଥିଲାଗି ସ୍ୱତନ୍ତ୍ର କୋଭିଡ ସ୍କାର୍ଡ ଗଠନ କରାଯାଇଛି । ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର, ଓଏମଆର, ଉତ୍ତର ସିଟ, ଓଏମଆର ଆଟେଣ୍ଡାଣ୍ଟ ସିଟ ଆଦି ପରୀକ୍ଷା ସମ୍ପର୍କିୀତ ବିଭିନ୍ନ କାଗଜପତ୍ର ପହଞ୍ôଚଛି ସାରିଛି । ରାଜ୍ୟରେ ସମୁଦାୟ ୫୦୪ଟି ସେଣ୍ଟରରେ ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଓଏମଆରସିଟ ପହଞ୍ôଚ ଯାଇଥିବା ବୋର୍ଡ ସଭାପତି ହାଜରା ସୂଚନା ଦେଇଛନ୍ତି । ଅଫଲାଇନ ମାଟ୍ରିକ ପରୀକ୍ଷା ସମତେ ରାଜ୍ୟ ମୁକ୍ତ ବିଦ୍ୟାଳୟ, ପତ୍ରବିନିମୟ ପାଠ୍ୟକ୍ରମର ବିଭନ୍ନ ବର୍ଗରୁ ମୋଟ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା ରହିଛି । ପରୀକ୍ଷା ପରିଚଳାନାରେ ସ୍ୱଚ୍ଛତା ବଜାୟଳ ରଖିବା ଏବଂ କପି ରୋକିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ଏଥିଲାଗି ମୋଟ ୬୦ଟି ସ୍କାର୍ଡ ଗଠନ କରାଯାଇଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ୩୦ଟି ସ୍କାର୍ଡ ରହିଥିବା ବେଳେ ଅନ୍ୟ ୩୦ଟଇ ସ୍କାଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଗଢାଯାଇଛି । ବୋର୍ଡ ପକ୍ଷରୁ ସମସ୍ତ ୫୦୪ଟି ପରୀକ୍ଷା କେନ୍ଦ୍ରରେ ନୋଡାଲ ସେଣ୍ଟର କରାଯାଇଥିବ ସୂଚନା ଦିଆଯାଇଛି । ପରୀକ୍ଷା ସୁପରିଚଳାନ ଲାଗି ପ୍ରତି ସେଣ୍ଟରରେ ଜଣେ ଲେଖାଏଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି ।
ଚଳିତ ବର୍ଷ ଅଫଲାଇନରେ ଆସନ୍ତା ୩୦ରେ ମାତୃଭାଷା, ୩୧ରେ ଇଂରାଜୀ, ୨ରେ ଗଣିତ, ୩ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ, ୫ରେ ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ହେବ । ଏହି ଅଫଲାଇନ ପରୀକ୍ଷା ଲାଗି ସମସ୍ତ ବର୍ଗରେ ମୋଟ ୧୫ ହଜାର ୧୧୫ଜଣ ଫର୍ମପୂରଣ କରିଛନ୍ତି । ଚଳିତ ବର୍ଷ ରେଗୁଲାରରେ ପ୍ରାୟ ୨ହଜାର ୨୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସର୍ବାଧିକ ଏବଂ ଦେବଗଡ ଜିଲ୍ଲାରେ ସର୍ବନିମ୍ନ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି । ସେହିଭଳି ପରୀକ୍ଷା ଶେଷ ହେବା ପରେ ଅଗଷ୍ଟ ୧୦ରୁ ୧୫ ତାରିଖ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଆରାମ୍ଭ କରାଯିବ । ୨୫ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା କେନ୍ଦ୍ରରେ କରୋନା କଟକଣା ପାଳନ ସହ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ଅଧିକାରୀଙ୍କର କରୋନା ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଯେଉଁ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେମାନେ ଯୁକ୍ତ ଦୁଇରେ ନାମ ଲେଖାଇବାର ସୁବିଧା ପାଇ ପାରିବେ । ଏହି ଛାତ୍ରଛାତ୍ରୀଙ୍କ ଲାଗି ସରକାରଙ୍କ ଆଡମିଶନ ପୋର୍ଟଲ ଖୋଲାରହିବ । ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଥମ ଦିନ ପରୀକ୍ଷା ଆରମ୍ଭ ହେବା ଆଗରୁ ଏବଂ ପରୀକ୍ଷା ଶେଷ ହେବା ପରେ ବିଶୋଧନ କରାଯିବ । ଏଥିସହ ପରୀକ୍ଷା କେନ୍ଦ୍ରରେ ଗୋଟିଏ ଆଇସୋଲେସନ ରୁମ ରହିବ, ଯାହା ଆପାତକାଳୀନ ପରିସ୍ଥିତିରେ ବ୍ୟବହାର କରାଯିବ । ପରୀକ୍ଷା କେନ୍ଦ୍ର ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଏବଂ ହାତ ସାନିଟାଇଜ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି କେହି ବିନା ମାସ୍କରେ କେନ୍ଦ୍ରକୁ ପ୍ରବେଶ କରୁଥିଲେ, ସେମାନଙ୍କୁ ତୁରନ୍ତ ମାସ୍କ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ କରୋନା ନିୟମ ପାଳନର ତଦାରଖ ଲାଗି ଜିଲ୍ଲାସ୍ତରୀୟ କୋଭିଡ ସ୍କ୍ୱାର୍ଡ ଗଠନ ହୋଇଛି । ପରୀକ୍ଷା କେନ୍ଦ୍ରଗୁଡିକରେ ଯଥେଷ୍ଟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ଆସନ୍ତା ଅଗଷ୍ଟ ୧୦ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ଏଥିଲାଗି ମୂଲ୍ୟାୟନ କେନ୍ଦ୍ରଗୁଡିକୁ ପ୍ରତିଦିନ ବିଶୋଧନ କରାଯିବା ସହ ଅନ୍ୟାନ୍ୟ କରୋନା ନିୟମାବଳୀ ପାଳନ କାରଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରାଜ୍ୟରେ କରୋନା ଦୃଷ୍ଟିରେ ରଖି ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଥିଲେ । ବିକଳ୍ପ ପଦ୍ଧତି ଅନୁସାରେ ବୋର୍ଡ ପକ୍ଷରୁ ମୂଲ୍ୟାୟନ କରି ଜୁନ ୨୫ ତାରିଖରେ ଫଳ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ଫଳରେ ଅନେକ ଛାତ୍ରଛାତ୍ରୀ ଅସୁନ୍ତଷ୍ଟ ହୋଇଥିଲେ । ବୋର୍ଡ ପକ୍ଷରୁ ପ୍ରକାଶିତ ମାର୍କ ଅନୁଯାୟୀ ଯଦି କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ରହିଥିବେ ସେମାନେ ଅଫଲାଇନରେ ଲିଖିତ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେବେ ଚଳତ ବର୍ଷ ୬ଲକ୍ଷ ୨୯ ହଜାର ୯୧୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ । ସେଥିମଧ୍ୟରୁ ୬ଲକ୍ଷ ୯ହଜାର ୨୯୯ଜଣ କୃତକାର୍ଯ୍ୟ ହୋଇଥିଲେ । ବୋର୍ଡ ପକ୍ଷରୁ ପ୍ରଦାନ କରାଯାଇଥିବା ମାର୍କରେ ମାତ୍ର ୨୨୪୪ଜଣ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ଅଫଲାଇନରେ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି । ସେହିଭଳି ଅକୃତକାର୍ଯ୍ୟ, ଏକ୍ସ ରେଗୁଲାର, ମଧ୍ୟମା ଏବଂ ପତ୍ର ବିନିମୟରେ ମୋଟ ୧୫ ହଜାର ୧୧୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୧୩୧୫ଜଣ ଏବଂ ପୁରୀ ଜିଲ୍ଲାରେ ୧୧୧୯ଜଣ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେବେ । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, କଟକ, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାରେ ୫ଶହରୁ ଏକ ହଜାର ମଧ୍ୟରେ ଓ ଅନ୍ୟ ୧୮ଟି ଜିଲ୍ଲାରେ ୫ଶହରୁ କମ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି । ଦେବଗଡ ଜିଲ୍ଲାରେ ମାତ୍ର ୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହି ପରୀକ୍ଷାରେ ୧୩୯ଜଣ ଭିନ୍ନ କ୍ଷମ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ସେମାନଙ୍କ ଯାତାୟତ ଓ ରହିବା ପାଇଁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦାୟିତ୍ୱ ନେଇଥିବା ବୋର୍ଡ଼ ପକ୍ଷରୁ କୁହାଯାଇଛି ।