କାମରେ ଲାଗୁନି ବସୁଧା ଯୋଜନା : ଗୁଜରପୁର ପଞ୍ଚାୟତରେ ଜଳକଷ୍ଟ ସମସ୍ୟା
କଟକ(ଏନ୍.ଏମ୍.): ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଥିବାବେଳେ ଏ ସବୁ ଜନସାଧାରଣଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି । ଏପରିକି ବ୍ଲକସ୍ତରରେ ବିଭିନ୍ନ ପଞ୍ଚାୟତ ଗୁଡିକରେ ବସୁଧା ଯୋଜନା ମାଧ୍ୟମରେ ଉଚ୍ଚ ସମ୍ପନ୍ନ ପାନୀୟ ଜଳ ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ପାନୀୟ ଜଳ ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଲାଗି ପାରୁନାହିଁ । ଏଥିପାଇଁ ବିଭିନ୍ନ ପଞ୍ଚାୟତର ଲୋକମାନଙ୍କୁ ଖରାଦିନେ ପାଣି ବୁନ୍ଦାଏ ପିଇବା ପାଇଁ ଡହଳବିକଳ ହେବାକୁ ପଡୁଛି । ଏଭଳି ଅଭାବନୀୟ ଦୃଶ୍ୟ ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ ଗୁଜରପୁର ପଞ୍ଚାୟତରେ ଦେଖିବାକୁ ମିଳିଛି । ଗତ ଜାନୁଆରୀ ମାସରେ ଗୁଜରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ପୌରହିତ୍ୟରେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଗୁଜରପୁର ଜୋନ-୧ ଠାରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ୧.୫ଲକ୍ଷ ଲିଟର ଓ ସୁଜାପୁର ଜୋନ-୨ ଠାରେ ୪୦ଲକ୍ଷ ଟଙ୍କା ବ୍ୟୟରେ ୧ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ପାଣିଟାଙ୍କି ପ୍ରକଳ୍ପକୁ ଅନଔପଚାରିତା ଭାବେ ଉଦଘାଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନାରେ ଏହି ଦୁଇଟି ସ୍ଥାନରେ ପାଣିଟାଙ୍କି ପ୍ରକଳ୍ପକୁ ସାମିଲ କରାଯାଇଥିଲା । ସେ ସମୟରେ ୫ହଜାରରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ପରଲକ୍ଷିତ ହୋଇଥିôଲା । କିନ୍ତୁ ଗୁଜରପୁର ଓ ସୁଜାପୁର ପାଣିଟାଙ୍କି ଉଦଘାଟନକୁ ଇତିମଧ୍ୟରେ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଧା ପାଣିଟାଙ୍କିଟି ଅଚଳ ହୋଇ ପଡିରହିଛି । ଯାହା ଫଳରେ ପଞ୍ଚାୟତବାସୀ ପାନୀୟ ଜଳ ସେବାରୁ ବଞ୍ଚିତ ହେଉଛନ୍ତି । ବିଶେଷକରି ଦିନକୁ ଦିନ ଖରାର ପ୍ରକୋପ ଅସହ୍ୟ ହୋଇପଡୁଥିବାବେଳେ ସ୍ଥାନୀୟ ବାସିନ୍ଦା ଜଳକଷ୍ଟ ସମସ୍ୟାରେ ଅତିଷ୍ଠ ହୋଇପଡୁଛନ୍ତି । ଯାହା ଏବେ ବିକାଶର ଆଲୋକ ଏହି ପଞ୍ଚାୟତବାସୀଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ ରାଜସ୍ୱ ଗ୍ରାମରେ ବିଭିନ୍ନ ଯୋଜନାର ଫଳକ ଲଗାଯାଇଥିବାବେଳେ ପାନୀୟ ଜଳ ଯୋଗାଣରେ ବିଭାଗ ଫେଲ ମାରିଥିବାରୁ ଲୋକେ ସମାଲୋଚନା କରିବାକୁ ଲାଗିଲେଣି । ତେବେ କେଉଁ କାରଣରୁ ଉକ୍ତ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହୋଇପାରୁ ନାହିଁ । ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଆରଡବ୍ଲ୍ୟୁଏସଏସର ଯନ୍ତ୍ରୀ ଅଧିକାରୀଙ୍କୁ ପଚାରିବାରେ ପଞ୍ଚାୟତରେ ପାଇପ ବିଛା କାର୍ଯ୍ୟ ଶେଷ ହୋଇଛି । ନବନିର୍ବାଚିତ ସରପଞ୍ଚ ରାଜେଶ୍ୱରୀ ନନ୍ଦି ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ତାଙ୍କ ଦ୍ୱାରା ଜଣେ ପମ୍ପ ଅପରେଟରଙ୍କୁ ନିଯୁକ୍ତି ଦିଆଗଲେ ଖୁବଶୀଘ୍ର ପାନୀୟ ଜଳଯୋଗାଣ ବ୍ୟବସ୍ଥା ଉକ୍ତ ପଞ୍ଚାୟତରେ ସ୍ୱଭାବିକ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । ପଞ୍ଚାୟତବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୁଇଗୋଟି ପାଣିଟାଙ୍କିକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି ।