କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ବିଭିନ୍ନ କ୍ଷେତ୍ରରେ କଟକ ସର୍ବାଗ୍ରେ ରହୁଥିବାବେଳେ ଚଳିତ ବର୍ଷ ବାଲିଯାତ୍ରା ଅବସରରେ କାଗଜଡଙ୍ଗା ପ୍ରସ୍ତୁତ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ କରିଛି । ଉତ୍କଳୀୟ ପରମ୍ପରା ତଥା ନୌବାଣିଜ୍ୟର ଇତିହାସକୁ ଉଦ୍‌ଯିବିତ ରଖିବା ପାଇଁ କଟକର ଐତିହାସିକ ବାଲିଯାତ୍ରା ଉଦ୍ୟମ କରିଆସିଛି । ଅତୀତର ସାଧବମାନେ ବିଦେଶକୁ ବାଣିଜ୍ୟ କରିବା ପାଇଁ ଜଳପଥ ବ୍ୟବହାର କରୁଥିବାବେଳେ ବୋଇତ ନେଇ ସାତସମୁଦ୍ର ଲମ୍ଫ ଦେଇ ଜାଭା, ସୁମାତ୍ରା, ବାର୍ଲି (ଇଣ୍ଡୋନେସିଆ)କୁ ଯାଉଥିଲେ । ଯାହା ଆଜି ମଧ୍ୟ ଭାରତ ଇଣ୍ଡୋନେସିଆ ମଧ୍ୟରେ ସମନ୍ୱୟର ଛାପ ଦେଖିବାକୁ ମିଳେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇଣ୍ଡୋନେସିଆର ଏକ ସାଧାରଣ ସଭାରେ କଟକର ବାଲିଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ସମଗ୍ର ଓଡ଼ିଶାବାସୀଙ୍କ ଗର୍ବ ଗୌରବକୁ ବଢ଼ାଇ ପାରିଛନ୍ତି । ଅନ୍ୟପକ୍ଷରେ ସାଧବମାନଙ୍କ ନୌବାଣିଜ୍ୟର ସ୍ମାରକୀ ଭାବେ ବାଲିଯାତ୍ରା ହେଉଥିବା କୁହାଯାଏ । ନୌବାଣିଜ୍ୟର ପ୍ରତୀକ ଭାବେ ଡଙ୍ଗାଭସାଇବାର ପରମ୍ପରା ମଧ୍ୟ ରହିଛି । ଏହି ପରିପ୍ରେକ୍ଷୀରେ କଟକରେ କାଗଜଟଙ୍କା ତିଆରି କରି ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ କରିବା କେବଳ କଟକ କାହିଁକି ସାରା ଓଡ଼ିଶାର ଗୌରବ ବୋଲି ଆଲୋଚନା ହେଉଛି । ତେଣୁ ବାଲିଯାତ୍ରାକୁ ସ୍ମରଣୀୟ କରିବା ସହ ଓଡିଆ ସାଧବ ପୁଅଙ୍କ ପ୍ରାଚୀନ ନୌବାଣିଜ୍ୟ ଗାଥାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବା ସକାଶେ କଟକ ମହାନଗର ନିଗମ ଓ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ଆଜି ସାକାର ହୋଇଛି । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ କଟକ ସହରର ମୋଟ୍ ୨୧୨୧ ପ୍ରତିଯୋଗୀ ଯେଉଁମାନେ କି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସିଭିଲ ସୋସାଇଟି ସଦସ୍ୟ ଓ ସିଏମସିର କର୍ମଚାରୀବୃନ୍ଦ ୨୨ ହଜାର ୪୭୩ କାଗଜ ଡଙ୍ଗା ମାତ୍ର ୩୫ ମିନିଟରେ ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡରେ ଏହି ଐତିହାସିକ ସହରର ନାମକୁ ଯୋଡିବାରେ ସଫଳ ହୋଇଛନ୍ତି । ଏହି ପ୍ରାଥମିକ ସଫଳତା ସମ୍ପର୍କରେ ଗିନିଜ୍ ୱାର୍ଲଡ ରେକର୍ଡ ପକ୍ଷରୁ ଅବଗତ କରାଯାଇ ମେୟର ସୁବାସ ସିଂଙ୍କୁ ବାରବାଟୀ ଷ୍ଟାଡିୟମର ପ୍ରତିଯୋଗିତା ସ୍ଥଳରେ ଏକ ପ୍ରୋଭିଜନାଲ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ମେୟର ଶ୍ରୀ ସିଂହ ଉପସ୍ଥିତ ଜୁରିମାନଙ୍କ ନିକଟରୁ ଏହି ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି । ଯାହା ଫଳରେ ବିଶ୍ୱ ଇତିହାସ ପୃଷ୍ଠାରେ କଟକ ସହରର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ପ୍ରକାଶ ଥାଉକି, ସହରର ବିଭିନ୍ନ ବିଦ୍ୟାଳୟରେ ଦୀର୍ଘ ୫ ଦିନ ଧରି ନିର୍ଭୁଲ ଭାବରେ କାଗଜ ଡଙ୍ଗା ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ସକାଳେ ସେମାନେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବା ପରେ ପ୍ରତିଯୋଗୀମାନଙ୍କୁ ଏକାଧିକ ଗ୍ରୁପରେ ବିଭକ୍ତ କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ କାଗଜ ଡଙ୍ଗା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଙ୍ଗର କାଗଜ ଯୋଗାଇ ଦିଆଯାଇଥିଲା । ଏହାକୁ ଅନୁଧ୍ୟାନ କରିବାକୁ ପ୍ରତି ଗ୍ରୁପ୍ ପାଇଁ ଜଣେ ଷ୍ଟିୱାର୍ଡଙ୍କୁ ସଂସ୍ଥା ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା । ଧାର୍ଯ୍ୟ ସମୟରେ ଛାତ୍ରଛାତ୍ରୀମାନେ ଡଙ୍ଗା ତିଆରି ଆରମ୍ଭ କରିଥିଲେ । ଲଣ୍ଡନରେ ଥିବା ଅନୁଷ୍ଠାନର ଜୁରି କମିଟି ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମର ମୂଲ୍ୟାୟନ କରିଥିଲେ । ନିର୍ଦ୍ଧାରିତ ସମୟରେ ସଫଳତା ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇ ମେୟର ଶ୍ରୀ ସିଂଙ୍କୁ ସାର୍ଟିଫିକେଟ୍ ହସ୍ତାନ୍ତର କରାଯାଇଥିଲା । ଏହି ସାର୍ଟିଫିକେଟ୍ ଗ୍ରହଣ କାର୍ଯ୍ୟକ୍ରମରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝି, ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ସରକାର ବାଲିଯାତ୍ରାକୁ ମାନ୍ୟତା ପ୍ରଦାନ କରିଥିଲାବେଳେ ଜାତୀୟ ଓ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତବର୍ଷ ବିଧିବଦ୍ଧ ପ୍ରୟାସ ଆରମ୍ଭ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗିନିଜ୍ ୱାର୍ଲଡ ରେକର୍ଡରେ ନାମ ହାସଲ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ