କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡିଶା ମୁଖ୍ୟଙ୍କ ସହ ଆଲୋଚନା
#ଭୁବନେଶ୍ୱର /କଟକ(ଏନ୍.ଏମ୍.): ରାଜ୍ୟ କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡ଼ିଶା ମୁଖ୍ୟଙ୍କ ସହ ସାକ୍ଷାତ କରାଯାଇ ଆଲୋଚନା କରାଯାଇଛି । ଓଡିଶାରେ ଥିବା ୨ ଲକ୍ଷ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନେ ସେମାନଙ୍କର ପେନସନ, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଅନ୍ୟାନ୍ୟ କାର୍ଯ୍ୟବାବଦରେ ଭବିଷ୍ୟନିଧି ସଂଗଠନର ଓଡିଶାରେ ଥିବା ଚାରିଗୋଟି ଆଞ୍ଚଳିକ କାର୍ଯ୍ୟାଳୟ ଯଥା ବ୍ରହ୍ମପୁର, କେନ୍ଦୁଝର, ରାଉରକେଲା ଓ ଭୁବନେଶ୍ୱର ଉପରେ ନିର୍ଭର କରିଥାନ୍ତି । ସେଥିମଧ୍ୟରୁ ୧୩ ଗୋଟି ଜିଲ୍ଲାର ପାଖାପାଖି ଏକ ଲକ୍ଷ ପେନସନଭୋଗୀ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଅଛନ୍ତି ଏବଂ ଦୈନିକ ପ୍ରତ୍ୟେକ କାର୍ଯ୍ୟଦିବସରେ ସେହି ଜିଲ୍ଲାର ପେନସନ ଭୋଗୀମାନେ ସେମାନଙ୍କର କାର୍ଯ୍ୟ ପାଇଁ ଆସିଥାନ୍ତି । କିନ୍ତୁ ବାସ୍ତବକ୍ଷେତ୍ରରେ କାର୍ଯ୍ୟସମ୍ପାଦନ ଲାଗି ବିଭିନ୍ନ ସମସ୍ୟାର ସମ୍ମୁଖୀନ ସହିତ ବାରମ୍ବାର ଦୌଡିବା ସହ ବହୁ ଦିନ ଅପେକ୍ଷା କରିବାକୁ ପଡିଥାଏ । ବିଶେଷକରି ଉଚ୍ଚତ୍ତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପାଇବାଲାଗି ଇପିଏଫ କର୍ତ୍ତୃପକ୍ଷ ଅନଲାଇନ ବ୍ୟବସ୍ଥା ଲାଗୁକରିଛନ୍ତି । ଏହି ପଞ୍ଜିକରଣ ଲାଗି କାଗଜପତ୍ର ଠିକ କରି ପଞ୍ଜିକରଣ କରିବାରେ ଅନେକ ସମସ୍ୟା ଲାଗିରହିଛି । ଉପରୋକ୍ତ ସମସ୍ୟାର ତ୍ୱରିତ ସମାଧାନ ଓ ସରଳୀକରଣ ବ୍ୟବସ୍ଥା ଲାଗୁକରିବା ଏବଂ ବିଭିନ୍ନ ସମସ୍ୟା ସମାଧାନ ବାବଦରେ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଏକ ପ୍ରତିନିଧି ଦଳ ଭବିଷ୍ୟନିଧି ସଂଗଠନର ଓଡିଶା ମୁଖ୍ୟ ତଥା ଅତିରିକ୍ତ କେନ୍ଦ୍ରୀୟ କମିଶନର ବୀରଭଦ୍ର ସ୍ୱାମୀଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଥିଲେ । ଏଥିସହ ପେନସନ ଭୋଗୀ ମାନେ ସାମନା କରୁଥିବା ସମସ୍ତ ଅସୁବିଧାକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସମାଧାନ କରିବାକୁ ଅନୁରୋଧ କରିଥିଲେ । ଏହାଫଳରେ ସ୍ୱଳ୍ପ ପେନସନ ପାଉଥିବା ବରିଷ୍ଠ ନାଗରିକ ମାନେ ଅଯଥା ଖର୍ଚ୍ଚାନ୍ତରୁ କ୍ଷାନ୍ତ ହୋଇପାରନ୍ତେ ବୋଲି ପ୍ରତିନିଧି ଦଳ ମତ ପ୍ରକାଶ କରିଥିଲେ । ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ମଇ ମାସ ୩ ତାରିଖରେ ଶେଷ ହେଉଥିବାରୁ ଏହି ସମୟ ସୀମାକୁ ଆଉ ୨ ମାସ ବଢ଼ାଇବା ପାଇଁ ଆସୋସିଏସନ ତରଫରୁ ଦାବି ଉପସ୍ଥାପନ କରାଯାଇଥିଲା । ଆଲୋଚନା ପରେ ଆଞ୍ଚଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ଅତିରିକ୍ତ କେନ୍ଦ୍ରୀୟ କମିଶନର, ଓଡିଶା ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ବର୍ଦ୍ଧିତ ପେନସନ ବାବଦରେ ଆସୋସିଏସନ ତରଫରୁ ଉପସ୍ଥାପିତ କରାଯାଇଥିବା ଦାବିଗୁଡିକୁ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବାପାଇଁ ଜଣାଇଥିଲେ । ଆସୋସିଏସନ ତରଫରୁ ଆଲୋଚନାରେ ସଭାପତି ବିଜୟ କୁମାର ଜେନା, ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ପ୍ରଫୁଲ୍ଲ କୁମାର ଦାସ, ସରୋଜକାନ୍ତ ମଲ୍ଲିକ, ଗୀତାଞ୍ଜଳି ପାତ୍ର, ଲକ୍ଷ୍ମଣ ନନ୍ଦ, ସୁରେନ୍ଦ୍ର ନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।