କରୋନା ଯୁଦ୍ଧରେ ହାରିଗଲେ ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର
ଭୁବନେଶ୍ୱର(ଏନ୍.ଏମ୍.): କରୋନା ଯୁଦ୍ଧରେ ଶେଷରେ ହାରିଗଲେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର । ତାଙ୍କର ପରଲୋକଗତ ଖବର ପାଇ ସମ୍ପୂର୍ଣ୍ଣ ସଂଗୀତ ଜଗତ ହୋଇ ପଡ଼ିଛି ଶୋକାକୂଳ ପରିବେଶ । କୋଭିଡରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତପୁ ଆଖି ବୁଜିଛନ୍ତି । କରୋନା ଆକ୍ରାନ୍ତ ହୋଇ ପାଖାପାଖି ମାସେ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।
ତପୁ ଗତ ମାସରେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହାପରେ ଅକ୍ସିଜେନ ନେବାରେ ସେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେ ମେ ମାସ ୧୯ ତାରିଖରେ ଆସିୟୁରେ ଭର୍ତ୍ତି ହୋଇଥିଲେ । ପରେ ତପୁଙ୍କ ଅକ୍ସିଜେନରେ ସୁନ୍ତୁଳନ ଆସିଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ପରେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତେଣୁ ଅକ୍ସିଜେନସ୍ତର ବହୁତ କମ୍ ରହିଥିଲା । ଏହି ସମୟରେ ତାଙ୍କ ଫୁସଫୁସ କୋଭିଡର ଦ୍ୱାରା ସଂକ୍ରମିତ ହୋଇ ଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତପୁ ମିଶ୍ରଙ୍କୁ ଇକମୋ ଚିକିତ୍ସା ଯୋଗାଇ ଦିଆଯିବାକୁ ତାଙ୍କ ପରିବାର ଲୋକ ଚିନ୍ତା କରିଥିଲେ । ଏନେଇ ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା ଗଣମାଧ୍ୟମରେ କହିଥିଲେ । ପରେ ଆର୍ôଥକ ସହାୟତା ଯୋଗାଇବାକୁ ନିବେଦନ କରିଥିଲେ । ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ନିକଟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏକ ଲକ୍ଷ ଟଙ୍କା ତପୁଙ୍କ ଚିକିତ୍ସା ପାଇଁ ସହାୟତା ଦେଇଥିଲା । ସେହିପରି ତପୁଙ୍କ ଫ୍ୟାନ ଏବଂ ସିନେ କଳାକାରମାନେ ତପୁଙ୍କ ପାଇଁ ଆର୍ôଥକ ସହାୟତା ଯୋଗାଇଥିଲେ ।
୨୦୦୩ ମସିହାରେ ‘କୁଳନନ୍ଦନ’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ କରିଥିବା ଏହି ଗାୟିକା ମୋଟ୍ ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ମାତ୍ର ଦୁଇ ବର୍ଷ ତଳେ ସେ ବିବାହ କରିଥିଲେ । ଗତ ମେ ମାସର ପ୍ରଥମ ସପ୍ତାହରେ ତପୁଙ୍କ ବାପା କୋଭିଡ-୧୯ରେ ସଂକ୍ରମିତ ହୋଇ ଆଖବୁଜିଥିଲେ । ପରେ ପରେ ତପୁ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଥିଲେ । ତପୁ ମିଶ୍ର ସଂଗୀତ ଜଗତର ଏକ ସ୍ୱତନ୍ତ୍ର ପରିଚୟ । ତାଙ୍କ କଣ୍ଠର ଯାଦୁ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲା । ଅନେକ ସୁପର ହିଟ୍ ଗୀତ ଗାଇ ଲୋକଙ୍କ ନଜରକୁ ଆସିଥିଲେ । ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆଇ ଲଭ୍ ୟୁ’ ସିନେମା, ‘ପାଗଳପ୍ରେମୀ’ ଇତ୍ୟାଦି ଅନେକ ସିନେମା ସହିତ ପାଖାପାଖି ଶହରେ ଅଧିକ ଗୀତରେ ସେ କଣ୍ଠଦାନ କରିଥିଲେ । ତାଙ୍କ ପରଲୋକଗତ ଖବର ପାଇ ବହୁ ସଂଗୀତକାର, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ଗୀତିକାର ଆଜି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।