କରୋନା ପାଇଁ ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି
ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କରୋନାର ଦ୍ୱିତୀୟ ଲହର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଟିକାକରଣରେ କୌଣସି ଅଗ୍ରଗତି ହୋଇନଥିବା ଜଣାପଡ଼ିଛି । ଅନେକ ରାଜ୍ୟରେ ଟିକା କେନ୍ଦ୍ର ମଧ୍ୟ ଖାଲି ରହିଛି । ଦେଶର ଯୋଗ୍ୟ ବ୍ୟକ୍ତିକୁ କିନ୍ତୁ ବର୍ଷ ଶେଷ ସୁଦ୍ଧା ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ୩୦ କୋଟି ଟିକା ପାଇଁ ଅର୍ଡର କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ହାଇଦ୍ରାବାଦ ସ୍ଥିତ ମେସର୍ସ ବାୟୋଲଜିକାଲ-ଇ ଟିକା କମ୍ପାନୀ ପାଖରୁ ୩୦ କୋଟି ଟିକା କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଘୋଷଣା କରିଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ଟିକା କମ୍ପାନୀକୁ ୧୫୦୦ କୋଟି ଟଙ୍କା ଦିଆଯାଇଛି । ତେବେ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଏହି ଟିକା ଚଳିତ ବର୍ଷ ଅଗଷ୍ଟ-ଡିସେମ୍ୱର ସୁଦ୍ଧା ଉପଲବ୍ଧ ହେବ ବୋଲି ଆଶା ରହିଛି । ଏହି ଟିକା କିନ୍ତୁ ଏବେ କ୍ଲିନିକାଲ ଟ୍ରାଏଲରେ ରହିଛି । ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲ ସଫଳ ହୋଇଛି । ତୃତୀୟ ଟ୍ରାଏଲ ମଧ୍ୟ ସଫଳ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଶା ରଖିଛି । ଏହି ଟିକା ଆରବିଡି ପ୍ରୋଟିନ ସବ ୟୁନିଟ ପ୍ରକାରର । ଏହି ଟିକାର ସଫଳ ଟ୍ରାଏଲ ହେଲେ ଭାରତର ଏହା ଦ୍ୱିତୀୟ ସ୍ୱଦେଶୀ ଟିକା ହେବ । ପୂର୍ବରୁ କରୋନା ବିରୋଧରେ ପ୍ରଥମ ସ୍ୱଦେଶୀ ଟିକା ଭାବରେ ଭାରତ ବାୟୋଟେକର କୋଭାକ୍ସିନ ମାନ୍ୟତା ପାଇସାରିଛି । ଟିକା ଉତ୍ପାଦନ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ସହାୟତା ଦେଇଛି । ସୂଚନାଯୋଗ୍ୟ, ଗତକାଲି ଟିକା ନୀତି ନେଇ କେନ୍ଦ୍ର ସରକାର ଉପରେ ସୁପ୍ରିମକୋର୍ଟ ବର୍ଷିଥିଲେ । ଆସନ୍ତା ୨ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଟିକା ନୀତି ବାବଦରେ ବିସ୍ତୁତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ଟିକା ପାଇଁ ସରକାର ଯେଉଁ ୩୫ ହଜାର କୋଟିର ବ୍ୟବସ୍ଥା କରିଛନ୍ତି ତାର ହିସାବ ମଧ୍ୟ ଦେବାକୁ ସୁପି୍ରମକୋର୍ଟ କହିଛନ୍ତି । ତେବେ ଜୁଲାଇ ମାସରେ ଦୈନିକ ୧ କୋଟି ଲୋକଙ୍କୁ ଟିକାକରଣରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଥିବାରୁ ଅଧିକ ଟିକାର ଆବଶ୍ୟକତା ରହିଛି ।