ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବା ଯୋଗୁଁ ସରକାର ଓ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ସରକାର ବାଧ୍ୟ ହୋଇ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଜାରି ହୋଇଥିବା ଲକ୍ ଡାଉନକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏଥି ସହିତ କୋହଳ ସମୟକୁ ମଧ୍ୟ ହ୍ରାସ କରାଯାଇଛି । ଆସନ୍ତା ଜୁନ ୧ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଘୋଷଣା କରିଥିବା ୧୪ ଦିନିଆ ଲକଡାଉନ୍ ଆସନ୍ତାକାଲି ଶେଷ ହେବାକୁ ଯାଉଥିବା ବେଳେ ଆଜି ଏହାକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତା’ସହିତ ଲକ୍ଡାଉନ୍ କଟକଣାରେ କିଛି ପରିବର୍ତ୍ତନ ହୋଇଛି । ମେ’ ୫ ତାରିଖରୁ ପ୍ରଥମ ଦଫାରେ ଘୋଷଣା କରାଯାଇଥିବା ଲକଡାଉନ୍ରେ ସକାଳେ ୬ ଘଣ୍ଟା ପାଇଁ ନିୟମକୁ କୋହଳ କରାଯାଇଥିଲା । ପନିପରିବା, ଗ୍ରୋସରୀ, ମାଛ, ମାଂସ ଓ କ୍ଷୀର ଆଦି କିଣିବା ପାଇଁ ଲୋକଙ୍କୁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ତେବେ ଏଥର ସରକାର ଏହି ସମୟ ସୀମାକୁ ହ୍ରାସ କରିଛନ୍ତି । ରାଜ୍ୟରେ ନୂତନ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବରୁ କୋହଳ କରାଯାଇଥିବା ସମୟ ୬ଘଣ୍ଟାରୁ ୪ଘଣ୍ଟାକୁ ହ୍ରାସ କରାଯାଇଛି । ଏହି ୪ ଘଣ୍ଟା ସମୟ ମଧ୍ୟରେ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାକିଣି କରିପାରିବେ । ତେବେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ସବୁ ଦୋକାନ ଖୋଲା ରହିବ ଏବଂ ପୂର୍ବବତ୍ ଲୋକେ ଚାଲିଚାଲି ଯାଇ ନିକଟସ୍ଥ ଦୋକାନରୁ କିଣାକିଣି କରିବେ । ଏଥି ସହିତ ପୂର୍ବଭଳି ସପ୍ତାର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏଥି ସହିତ ସମସ୍ତ ଜନସାଧାରଣ କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ସହଯୋଗର ହାତ ବଢ଼ାଇବା ସହ କଟକଣା ପାଳନ କରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।