କମିଶନରେଟ ପୁଲିସ ହାତରେ ଚୋରା ବନ୍ଧୁକ ବ୍ୟବସାୟୀ: ଆଲ୍ବମ୍ ଅଭିନେତା ସହ ୪ ଗିରଫ, ୩ଟି ବନ୍ଧୁକ ସହ ୧୨ ଜୀବନ୍ତ ଗୁଳି ଜବତ
#କଟକ(ଏନ୍.ଏମ୍.): ସବୁବର୍ଷ ପରି ଏଥର ମଧ୍ୟ ଶାରଦୀୟ ପୂଜା ପୂର୍ବରୁ କଟକରେ ଅପରାଧୀମାନ ସକ୍ରିୟ ହୋଇଉଠିଛନ୍ତି । ଗତକାଲି ଦିନ ଦିପ୍ରହରରେ ଜଗତପୁର ଅଂଚଳରେ ଗୁଳିଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିଲା ବେଳେ ଆଜି ବନ୍ଧୁକ କାରବାରରେ ସଂପୃକ୍ତ ୪ ଜଣଙ୍କୁ ବାଦାମବାଡି ଥାନା ପୁଲିସ ଗିରଫ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଗିରଫମାନଙ୍କ ମଧ୍ୟରେ ଜଣେ ଆଲବମ୍ ନିର୍ଦ୍ଦେଶକ ରହିଥିବା ଜଣାପଡିଛି । ଏହି ଚୋରା ବନ୍ଧୁକ ବେପାରୀଙ୍କ ନିକଟରୁ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଝିଙ୍କିରିଆର ନବ ଓରଫ ଜ୍ଞାନରଞ୍ଜନ ସାହୁ (୪୦), ଶଙ୍କରପୁର ଡିହସାହିର ପପୁ ଓରଫ ପ୍ରକାଶ ରାଉତ (୩୫), ବାଲିସାହିର ଜିତୁ ଓରଫ ପ୍ରମୋଦ କୁମାର ରାଉତ(୪୩) ଓ ଗତିରାଉତପାଟଣାର ସୁଶାନ୍ତ ପରିଡା (୪୯) । ଏମାନଙ୍କଠାରୁ ଗୋଟିଏ ୯ଏମଏମ ପିସ୍ତଲ, ୭.୬୫ପିସ୍ତଲ, ଗୋଟିଏ ସିକ୍ସର ରିଭଲଭର ଓ ୧୬ ଅଫୁଟା ଗୁଳି ଜବତ ହୋଇଛି । ଅଭିଯୁକ୍ତ ଜ୍ଞାନ, ପ୍ରକାଶ ଓ ସୁଶାନ୍ତ ନାଁରେ ପୁରୀଘାଟ, ମଙ୍ଗଳାବାଗ, ମଙ୍ଗଳାବାଗ, ଚାଉଳିଆଗଞ୍ଜ, ତିର୍ତ୍ତୋଲ, ବାଦାମବାଡି, କଟକ ମହିଳା ଥାନାରେ ୧୪ଟି ମାମଲା ରହିଛି ବୋଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ପୂର୍ବାହ୍ଣ ୧୦ଟା ବେଳେ ନବ ଏକ ବନ୍ଧୁକ ନେଇ ଝାଞ୍ଜିରିମଙ୍ଗଳା ଗଡା ଦେଇ ଯାଉଥିବାର ଖବର ପାଇ ବାଦାମବାଡି ପୁଲିସ ଅତର୍କିତ ଭାବେ ସେଠାରେ ପହଞ୍ôଚ ତାକୁ ଧରିଥିଲା । ତଲାସି ନେବାରୁ ତା ନିକଟରୁ ଦୁଇଟି ଗୁଳି ଲୋଡ୍ ଥିବା ଗୋଟିଏ ୭.୬୫ ପିସ୍ତଲ ଜବତ କରାଯାଇଥିଲା । ପୁଲିସ ନବକୁୁ ଥାନାକୁ ଆଣି ଜେରା କରିବାରୁ ଏହି କାରବାରରେ ଜିତୁ ସଂପୃକ୍ତ ଥିବା କହିଥିଲା । ଏହାପରେ ପୁଲିସ ପ୍ରକାଶ ଓ ପ୍ରମୋଦ ଘରେ ଚଢଉ କରି ସେଠାରୁୁ ୯ଏମଏମର ୪ଟି, ୭.୬୫ ଏମଏମର ୪, ୩୮ ଏମଏମର ଗୋଟିଏ ଅଫୁଟା ଗୁଳି ଜବତ କରିଥିଲା । ଏମାନେ ଅନୁଗୁଳ ତାଳଚେରର ଟୁକୁନା ସ୍ୱାଇଁ ଠାରୁ ବନ୍ଧୁକ ଆଣି ବିକ୍ରି କରୁଥିଲେ ବୋଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ଏହାପରେ ପୁଲିସ ଅନ୍ୟ ଜଣେ ବନ୍ଧୁକ ବେପାରୀ ସୁଶାନ୍ତକୁ ଗିରଫ କରିଥିଲା । ପ୍ରମୋଦ ଠାରୁ ଗୋଟିଏ ସିକ୍ସର ରିଭରଭଲ ସହିତ ୨ଟି ଅଫୁଟା ଗୁଳି ,ସୁଶାନ୍ତ ଠାରୁ ଗୋଟିଏ ଦେଶୀ ୯ଏମଏମ ବନ୍ଧୁକ ସହିତ ୨ଟି ଅଫୁଟା ଗୁଳି ଜବତ କରିଛି ପୁଲିସ । ଦୀର୍ଘଦିନ ଧରି ଏମାନେ ବନ୍ଧୁକ, ଗୁଳି କାରବାର ଚଳାଇଥିଲେ । କଟକ ସମେତ ଆଖପାଖ ଜିଲ୍ଲାର ଅପରାଧୀଙ୍କୁ ,ସବୁ ମାରଣାସ୍ତ୍ର ଯୋଗାଉଥିଲେ । ଟୁକୁନା ସ୍ୱାଇଁଠାରୁ ଆଣୁଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି । ଅଧିକ ଅର୍ଥ ରୋଜଗାର ପାଇଁ ଏମାନେ ବନ୍ଧୁକ ବ୍ୟବସାୟ କରୁଥିଲେ । ଏଥିସହିତ ଗିରଫ ଅଭିଯୁକ୍ତ ଭୟଭୀତ କରାଇ ଦାଦାବଟି, ଠିକାଦାର, ବାଲିଘାଟ ବ୍ୟବସୀଙ୍କୁ ଦାଦାବଟି ଆଦାୟ କରୁଥିଲେ ବୋଲି କଟକ ଡିସିପି ଶ୍ରୀ ସିଂ ସୂଚନା ଦେଇଛନ୍ତି ।