କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ
କଟକ(ଏନ୍.ଏମ୍.): ସ୍ଥାନୀୟ ବିଜୁପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଳା ସାହିତ୍ୟ ସଂସଦର ମିଳିତ ସହଯୋଗରେ କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଓଡ଼ିଶା ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ତଥା ବିଶିଷ୍ଟ କବି ଜଷ୍ଟିସ ଅରୁଣ କୁମାର ପରିଚ୍ଛା ଆନୁଷ୍ଠାନିକ ଭାବେ ଉଦଘାଟନ କରି ଓଡିଆ କବିତାରେ ଆଧୁନିକତାର ପ୍ରବର୍ତ୍ତକ ହେଉଛନ୍ତି ସଚ୍ଚି ରାଉତରାୟ ବୋଲି ମତବ୍ୟକ୍ତ କରିଥିଲେ । ସେ ଜଣେ କ୍ରାନ୍ତିକାରୀ ସ୍ରଷ୍ଟା ଓ ଜୀବନଧର୍ମୀ କବି; ତାଙ୍କ ରଚିତ ଛୋଟ ମୋର ଗାଁଟି କବିତା ଓଡିଆ ସାହିତ୍ୟରେ ଏକ କାଳଜୟୀ କୃତି ବୋଲି ଜଷ୍ଟିସ ପରିଚ୍ଛା କହିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ସ୍ମାରକୀ ବକ୍ତୃତା ଉପସ୍ଥାପନ କରି ସଚ୍ଚି ରାଉତରାୟଙ୍କ କାବ୍ୟ ପ୍ରତିଭା ସାହିତ୍ୟରେ ବିରଳ, ତାଙ୍କ କାବ୍ୟ ଜଗତ ଥିଲା ବହୁବର୍ଣ୍ଣ ବିଭାରେ ସମୁଜ୍ଜ୍ୱଳ । ସେ ଥିଲେ ସାମ୍ୟବାଦୀ ଚେତନାର ଭଗୀରଥ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ. ପ୍ରଭାକର ସ୍ୱାଇଁ ଯୋଗଦେଇ ସଚ୍ଚି ରାଉତରାୟ ବିଶ୍ୱ ସାହିତ୍ୟ ସହିତ ସମାନ୍ତରାଳ ଧାରା ସୃଷ୍ଟି କରି ଓଡିଆ ଭାଷାରେ ଯେଉଁ କବିତା ରଚନା କରିଛନ୍ତି, ତାହା ଚିରଦିନ ତାଙ୍କୁ ଅମର କରି ରଖିବ ବୋଲି କହିଥିଲେ । ତାଙ୍କ କାବ୍ୟ ‘ବାଜି ରାଉତ’ ହରିନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଇଂରାଜୀ ଭାଷାରେ ଅନୁଦିତ ହୋଇ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା ବୋଲି ସେ କହିଥିଲେ । କବି ସଚ୍ଚି ରାଉତରାୟଙ୍କ ସୁପୁତ୍ର ଶ୍ରୀହର୍ଷ ରାଉତରାୟ ଏବଂ ସ୍ୱର୍ଣ୍ଣ ମିଶ୍ର ଅଭିବ୍ୟକ୍ତ ଉପସ୍ଥାପକ ଭାବେ ଯୋଗ ଦେଇ ସଚ୍ଚି ରାଉତରାୟଙ୍କ କୃତିରାଜି ପ୍ରତ୍ୟେକ ଶ୍ରେଣୀର ପାଠକଙ୍କୁ ଛୁଇଁ ପାରିଥିଲା ଏବଂ ଓଡିଆ କବିତା କ୍ଷେତ୍ରରେ ଯେଉଁ ପରୀକ୍ଷା ନିରୀକ୍ଷା କରିଯାଇଛନ୍ତି, ତାହା ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ମତପ୍ରକାଶ କରିଥିଲେ । ସଭାପତି ଡକ୍ଟର ମଲ୍ଲିକ ତାଙ୍କ ଅଭିଭାଷଣରେ ସଚ୍ଚି ରାଉତରାୟଙ୍କ କାବ୍ୟ ପ୍ରତିଭା ଉପରେ ଆଲୋଚନା କରି ତାଙ୍କୁ ବିଂଶ ଶତକର ମହାକବି ରୂପେ ଅଭିହିତ କରିଥିଲେ । ତାଙ୍କ ରଚିତ ପାଥେୟ, ପୂର୍ଣ୍ଣିମା, ଅଭିଯାନ, ରକ୍ତଶିଖା, ବାଜିରାଉତ, ପଲ୍ଲୀଶ୍ରୀ, ପାଣ୍ଡୁଲିପି, ଅଭିଜ୍ଞାନ, ହସନ୍ତ, ଭାନୁମତୀର ଦେଶ, କବିତା -୧୯୬୨ ପ୍ରଭୃତି ସୃଷ୍ଟି ଓଡିଆ ସାରସ୍ୱତ ଜଗତର ଏକ ଏକ ଅନବଦ୍ୟ କୃତି ବୋଲି ସେ କହିଥିଲେ ।
ପ୍ରାରମ୍ଭରେ ସାରଳା ସାହିତ୍ୟ ସଂସଦର ସମ୍ପାଦକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ପ୍ରାକସୂଚନା ପ୍ରଦାନ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀ ଉପସଭାପତି ଡକ୍ଟର ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡକ୍ଟର ସୁନୀତି ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବରେ ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।