କପ୍ତିପଦା ବନଖଣ୍ଡରେ ହାତୀ ମୃତ୍ୟୁକୁ ନେଇ ଚିନ୍ତାରେ ପରିବେଶବିତ୍: ନିରବଦ୍ରଷ୍ଟା ବନ ବିଭାଗ !


#ରାଇରଙ୍ଗପୁର (ଏନ୍.ଏମ୍.): ଜଙ୍ଗଲ ଅବକ୍ଷୟ ଦୃତ ଗତିରେ ବୃଦ୍ଧି ପାଇଛି । କିଛି ଦିନ ତଳେ ଜଙ୍ଗଲମାନଙ୍କରେ ହୁତୁ ହୁତୁ ନିଆଁରେ ଉଜୁଡି ପଡ଼ିଥିଲା ଶିମିଳିପାଳ ଅଭୟାରଣ୍ୟ । ସାରା ବିଶ୍ୱର ସମସ୍ତ ପରିବେଶବିତ୍, ସରକାର, ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଥିଲା । ତା’ପରେ ନିଆଁର ପ୍ରକୋପ ସହି ନପାରି ଜୀବଜନ୍ତୁ ପ୍ରାଣ ବିକଳରେ ଜନବସତି ମୁହାଁ ହୋଇ ରାସ୍ତାଘାଟରେ ଅସାମାଜିକ ଲୋକ, ଶିକାରୀଙ୍କ ଯନ୍ତାରେ ପଡ଼ି ପ୍ରାଣ ହରାଇବା ଘଟଣା ସମସ୍ତ ଗଣମାଧ୍ୟମରେ ମଣ୍ଡିତ ହୋଇଥିଲା । ପ୍ରଶାସନିକ ଉଦାସୀନତା, ବନବିଭାଗ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ, ଗ୍ରାମବାସୀଙ୍କ ଜଙ୍ଗଲ ଓ ଜୀବଜନ୍ତୁ ନେଇ ସୁରକ୍ଷା ଓ ସଚେତନତା ଅଭାବ, କିଛି ସ୍ଥାନରେ ଦୁର୍ନିତୀ ଗ୍ରସ୍ତ ବନ କର୍ମଚାରୀ ଏବଂ ଶିକାରୀଙ୍କ ସହ ମଧୁଚନ୍ଦ୍ରିକା ଜଙ୍ଗଲ ଭିତରେ ଗାଁ ରହିବା, ଶିକାରୀ ଓ ଅସାମାଜିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଆନ୍ତଃ ରାଜ୍ୟ ବନ ତସ୍କରୀଙ୍କ ଉପରେ ବନ ବିଭାଗ କଡା ନଜର ନରଖିବା, ବନ ଗୁଇନ୍ଦା ବିଭାଗର ଶିଥିଳତା, ବାସ୍ତବରେ ବୃକ୍ଷ ରୋପଣ ନକରି କାଗଜକଲମରେ ଦର୍ଶାଇବା, ସୁରକ୍ଷାକୁ ଗୁରୁତ୍ୱ ନଦେବା ଯୋଗୁଁ ଆଜି ଜଙ୍ଗଲ ଅବକ୍ଷୟ ସହ ବିରଳ ଜୀବଜନ୍ତୁଙ୍କ ବିଲୟ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ହାତୀ ମୃତ୍ୟୁ ନେଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ । ଯାହାକୁ ନେଇ ଶିମିଳିପାଳରେ ହାତୀଙ୍କର ସୁରକ୍ଷା ଏବଂ ବନବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପୁଣି ଛିଡା ହୋଇଛି ଏକ ବଡ ପ୍ରଶ୍ନ ଚିହ୍ନ? ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେଞ୍ଜ ରାଇପାଳ ବିଟ ପଦ୍ମପୋଖରୀ ବାଘଧରସାହି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ଖବର ପାଇଥିଲା । ଖବର ପାଇ କପ୍ତିପଦା ବନାଞ୍ଚଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦେଖିବା ପରେ ହାତୀଟି ଏକ ଦନ୍ତାହାତୀ ହୋଇଥିବା ବେଳେ ତାହାର ବୟସ ୧୦ ରୁ ୧୫ ବର୍ଷ ହେବ ବୋଲି ଜଣାଯାଇଛି । ତେବେ ହାତୀ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ହାତୀଟି କେଉଁ କାରଣରୁ ମୃତ୍ୟୁବରଣ କରିଛି ତାହାର ତଦନ୍ତ କରୁଛି ବନବିଭାଗ । ତେବେ ମୃତ ହାତୀର ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଡିଏଫଓ । ମାତ୍ର ହାତୀଟିର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବେଶବିତଙ୍କ ଚିନ୍ତା ବଢ଼ିଯାଇଥିବା ଜଣାପଡ଼ିଛି ।