କଥା ଦେଇ କଥା ରଖିଲେ ୫ ଟି ସଚିବ ଭି. କେ. ପାଣ୍ଡିଆନ
ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟ୍ଟାକୁ ସରକାରଙ୍କ ମୋହର
#ରାଇରଙ୍ଗପୁର (ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଅଁଳାଡୁବା ଗ୍ରାମର ରଘୁନାଥ ଜୀଉ ମଠ ସନ୍ନିକଟରେ ୧୯୫୮ ମସିହାରେ ସ୍ଥାପିତ ଗୋଶାଳାକୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାର କେବିନେଟରେ ମୋହର ମାରିଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଅଞ୍ଚଳର କତିପୟ ହାତଗଣତି ଗୋମାତାପ୍ରେମୀ ଏଚ୍ ଏନ୍ ଠାକୁର, ଗଜାନନ ପାଡିଆ, ଗୋବିନ୍ଦ ଅଗ୍ରୱାଲ ମଦନ ଅଗ୍ରୱାଲ ଗୋବିନ୍ଦ ଚାନ୍ଦଗୋଟିଆ ଏବଂ ତାଙ୍କ ସହଯୋଗୀ ମାନେ ଅଁଳାଡୁବା ଗ୍ରାମରେରେ ସରକାରୀ (ରକ୍ଷିତ ଘର୍ୱାରୀ) ୫ଏକର ପାଖାପାଖି ଜମିରେ ଖାତା ନମ୍ବର ୨୮୩ ,ପ୍ଳଟ ନମ୍ବର ୭୬୫ ଚାଳଛପର ଘର କରି ଗୋମାତାଙ୍କୁ ରଖି ସେବା କରିବା ଆରମ୍ଭ କରିଥିଲେ । ସେବେ ଠାରୁ ଗୋଶାଳା କମିଟି ଆର୍ôଥକ ଅନାଟନ ସତ୍ତ୍ୱେ ଭାଙ୍ଗି ନପଡ଼ି ଆଜିଯାଏଁ ଗୋଶାଳା ରକ୍ଷଣ, ବେକ୍ଷଣ,ଗୋମାତା ସେବା କରି ଆସୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ୩୪୮ରୁ ଉର୍ଦ୍ଧ୍ୱ ଗାଇ, ଗୋରୁ, ବାଛୁରୀର ରକ୍ଷଣ ବେକ୍ଷଣ, ଖାଦ୍ୟ ପେୟ, ଯତ୍ନ ଓ ଚିକିତ୍ସା କରାଯାଉଛି । ତନ୍ମଧ୍ୟରୁ ୩୦/୩୫ ଟି ଗାଇ କ୍ଷୀର ଦିଅନ୍ତି ଅନ୍ୟଗୁଡିକ ରୋଗାଗ୍ରସ୍ତ, ବୁଢ଼ାବୁଢ଼ୀ, ବାଛୁରୀ ଇତ୍ୟାଦି । ଏଥିସହିତ ପୁଲିସ ପ୍ରଶାସନ ଜବତ କରୁଥିବା ବେଆଇନ ଚାଲାଣ ଗୋରୁଗାଈଙ୍କୁ ଏଠାରେ ରଖାଯାଇ ସମସ୍ତ ଖର୍ଚ୍ଚ ଗୋଶାଳା କମିଟି ବୁଝେ । ଗୋରୁ ପିଛା ଦୈନନ୍ଦିନ ହାରାହାରି ୧୦୦ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଗୋଶାଳା କମିଟି ସଦସ୍ୟ କୁହନ୍ତି । ବାର୍ଷିକ ୧୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହୁଏ । ସରକାର ଏବେ ଅଳ୍ପ କିଛି ଖର୍ଚ ବୁଝୁଥିଲା ବେଳେ ରାଇରଙ୍ଗପୁର ସହରର ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ଗୋଶାଳା ଚାଲୁଅଛି । ହେଲେ ସ୍ଥାୟୀ ପଟ୍ଟା ପାଇଁ ଦିର୍ଘ ୬୫ ବର୍ଷ ହେଲା ଗୋଶାଳା କମିଟି ତରଫରୁ ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳକୁ ବାରମ୍ବାର ଅବଗତ କରାଯାଇଥିଲା । ପୂର୍ବରୁ ରାଜ୍ୟ ବିଜେଡି ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗୋଶାଳା ବୁଲି କମିଟିର ସମସ୍ୟା ପ୍ରତି ଅବଗତ ହୋଇ ରାଜ୍ୟ ସରକାରଙ୍କୁ ଏବିଷୟରେ ଅବଗତ କରାଇଥିଲେ । ନିକଟରେ ଗତ ୨ ତାରିଖ ଦିନ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ମୟୂରଭଞ୍ଜ ଗସ୍ତରେ ଆସି ରାଇରଙ୍ଗପୁର ଗୋଶାଳା ପରିଦର୍ଶନ କରି ଗୋଶାଳା କମିଟିର ନିଷ୍ଠାପରତା, କାର୍ଯ୍ୟଶୈଳୀ ,ଗୋ-ସେବା ଦେଖି ଅଭିଭୂତ ହୋଇ ପଡ଼ିଥିଲେ । ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ମୁଖ୍ୟ ମନ୍ତ୍ରୀଙ୍କୁ ଜଣାଇ ୭ ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରିବେ । ସେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ନିମନ୍ତେ ଠିକ୍ ସପ୍ତାହକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିନେଟରେ ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟ୍ଟା କେବିନେଟରେକୁ ସ୍ୱୀକୃତି ପ୍ରଦାନ କଲେ । ଏହାକୁ ନେଇ ରାଇରଙ୍ଗପୁର ଗୋଶାଳା କମିଟି ତରଫରୁ ଗୋଶାଳା ପରିସରରେ ସରକାରଙ୍କ ନିଷ୍ପତ୍ତିରେ ଖୁସି ହୋଇ ଏକ ଉତ୍ସବ ମନା ଯାଇଥିଲା । ଗୋଶାଳା କମିଟି ତରଫରୁ ସମସ୍ତଙ୍କୁ ଲଡୁ ବଣ୍ଟନ କରାଯାଇଥିଲା । ପରସ୍ପରକୁ ରଙ୍ଗ ଲଗାଇ ନାଚଗୀତରେ ମସଗୁଲ ହୋଇଥିଲେ ।ପରେ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ୫ ଟି ସଚିବ ଭି. କେ. ପାଣ୍ଡିଆନ, ମୟୂରଭଞ୍ଜ ବିଜେଡି ପ୍ରଭାରୀ ପ୍ରଣବ ପ୍ରକାଶ ଦାସଙ୍କୁ ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ, ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପୌର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଗୋଶାଳା ଅଧ୍ୟକ୍ଷ ବାବୁଲୁ ଅଗ୍ରୱାଲ, ସଭାପତି ରବି ଅଗ୍ରୱାଲ, ସଂପାଦକ ଗୌରୀ ସାରଡା, ସମାଜସେବୀ ଶମ୍ବୂନାଥ ଅଗ୍ରୱାଲ, ଜିଲ୍ଲା ବିଜେଡ଼ି ସମ୍ପାଦକ ସଚିନ ଅଗ୍ରୱାଲ ପ୍ରମୁଖ କୃତଜ୍ଞତା ଜଣାଇବା ସହ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରେ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରାଇରଙ୍ଗପୁର ଗୋଶାଳାର ଦୀର୍ଘ ୬୫ ବର୍ଷର ଦାବିକୁ ସରକାର ସ୍ଥାୟୀ ପଟ୍ଟା ପାଇଁ ସ୍ୱିକୃତି ଦେଇଥିବାରୁ ଜାତି ଧର୍ମ, ଦଳ ନିର୍ବିଶେଷରେ ସମସ୍ତେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । କଥା ଦେଇଥିଲେ କଥା ଦେଇ କଥା ରଖିଲେ ଭି.କେ. ପାଣ୍ଡିଆନ ଚାରିଆଡେ ଚର୍ଚ୍ଚା ହେଉଛି ।