କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧନ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା
କଟକ (ଏନ୍.ଏମ୍): କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧାନ ନେଇ ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ବିଶେଷ କରି କଟକ ସହରରେ ଜନସାଧାରଣ ବିଭିନ୍ନ ସମସ୍ୟାରେ ରହିଥିବା ବେଳେ ଏହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସହରର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିଲେ । ଏସସିବିକୁ ବିଶ୍ୱସ୍ତରୀୟ ମେଡ଼ିକାଲ କରାଯିବା ପରିପ୍ରେକ୍ଷୀରେ ଚାଲିଥିବା ଭିତ୍ତିଭୂମିର ବିକାଶ ସମେତ ଖାନନଗରସ୍ଥିତ ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିଲେ । ଏଥି ସହିତ ସହରର ମୁଖ୍ୟ ସମସ୍ୟା ପାଲଟିଥିବା ଜାଇକା ପ୍ରକଳ୍ପ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସହରରେ ପରିମଳ ପରିଚାଳନା, ବକ୍ସ ଡ୍ରେନ ନିର୍ମାଣ, ଘରକୁ ଘର ପାନୀୟଜଳ ଯୋଗାଣ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା ଆଲୋଚନା କରିଥିଲେ । ଏଥି ସହିତ ସହରରେ ସମ୍ପ୍ରତି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଷ୍ଟ୍ରିଟ ଲାଇଟ ଅଚଳ ହୋଇ ପଡ଼ୁଥିବା ସମ୍ପର୍କରେ ମନ୍ତ୍ରୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜାଇକା ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଆସନ୍ତା ୨୦୨୨ ଜୁନ ମାସ ସୁଦ୍ଧା ସହରରେ ଜାଇକା ପ୍ରକଳ୍ପ ଶେଷ ହୋଇଯିବ ବୋଲି ଅଧିକାରୀମାନେ କହିଥିଲେ । ଏଥି ସହିତ ସିଏମସି ଅନ୍ତର୍ଗତ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ୪ଟି ପଞ୍ଚାୟତ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ଉଠିଥିଲା । ବିଶେଷ କରି ୫୬ ନମ୍ବର ୱାର୍ଡ଼ରୁ ୫୯ ନମ୍ବର ୱାର୍ଡ଼ ଅଞ୍ଚଳରେ ଜନସାଧାରଣ ସହରାଞ୍ଚଳ ପ୍ରତି ଉପଲବ୍ଧ ଥିବା ସେବାରୁ ବଞ୍ôଚତ ରହୁଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଞ୍ଚଳକୁ ଜାଇକା ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଆଲୋଚନା କରିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ପାଇଁ ସମ୍ପୃକ୍ତ ୱାର୍ଡ଼ ସାମିଲ ନଥିବା ଯୋଗୁଁ ଏବେ ସମ୍ଭବ ନୁହେଁ ବୋଲି ଜାଇକା ଅଧିକାରୀ କହିଥିଲେ । ତେଣୁ ଉକ୍ତ ୱାର୍ଡ଼କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ କଟକ ସହରର ପୁରାତନ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ଉପରେ ଆଲୋଚନା ହେବା ସମୟରେ ଏହି କେନାଲର ଉଭୟପାଶ୍ୱର୍ ବନ୍ଧ, ଜାଲି ଲାଗିବା ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ୩୬କୋଟି ଟଙ୍କା ଅନୁଦାନ ମିଳିଥିବା ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ଜଳସମ୍ପଦ ବିଭାଗ ପେଟାନାଳର ପୁନରୁଦ୍ଧାର କରିବା ସହ ସିଏମସି ଏହାର ସୌନ୍ଦର୍ଯ୍ୟକରଣ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଆଜି ବୈଠକରେ ସହର ସମସ୍ୟା ଓ ସମାଧାନ ବିଷୟରେ ସମୀକ୍ଷା କରାଯିବା ସହ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଏମସିର ସମସ୍ତ ବିଭାଗୀୟ ଅଧିକାରୀ, ଲୋକପ୍ରତିନିଧି ଓ ଶାନ୍ତିକମିଟି, ପୂଜାକମିଟିର କର୍ମକର୍ତ୍ତାଙ୍କୁ ସାମିଲ କରାଯାଇଥିଲା । କାର୍ଯ୍ୟକ୍ରମରେ ସିଡିଏ ଅଧ୍ୟକ୍ଷ ତଥା ସିଏମସି ପ୍ରଶାସକ ଅନିଲ କୁମାର ସାମଲ, ସିଏମସି କମିଶନର ଅନନ୍ୟା ଦାସ, ବାରବାଟୀ-କଟକ ପୂର୍ବତନ ବିଧାୟକ ତଥା ବିଜେଡ଼ି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଯୁବନେତା ଅରିନ୍ଦମ ରଏ, ପୂର୍ବତନ କର୍ପୋରେଟର ତଥା ଜୀବନବିନ୍ଦୁ ଓଡିଶା ମୋ ପରିବାର ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ରମଜାନ ଖାନ, କଟକ ନଗର ବିଜେଡ଼ି ସଭାପତି ମଧୁସୂଦନ ସାହୁ, ଶାନ୍ତିକମିଟି ସଭାପତି ଦେବେନ୍ଦ୍ର ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତଥିଲେ ।