କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ

କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ

କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ


କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ରାଜ୍ୟବସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କରି ଇକମୋ ୟୁନିଟର ଉଦଘାଟନ କରିଛନ୍ତି । ଏହା ରାଜ୍ୟର ପ୍ରଥମ ଚିକିତ୍ସା ପଦ୍ଧତି । ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାରେ ହିଁ ରୋଗୀ ଚିକିତ୍ସିତ ହେବେ । ଏହି ଚିକିତ୍ସା ପାଇଁ ବେଶ ଅର୍ଥ ଆବଶ୍ୟକ; କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇ ଦେବେ । ଏହି ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେବ ଲୋକଙ୍କ ଉପରେ ପଡ଼ିବ ନାହିଁ । ସବୁ ଖର୍ଚ୍ଚ ସରକାର ବହନ କରିବେ । ସେ ପୁଣି କହିଲେ ଯେ, ତୃତୀୟ ଲହରର ମୁକାବିଲା ଲାଗି ଆମକୁ ସତର୍କ ରହିବାକୁ ହେବ । ଏଥିରେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେଣୁ ପିଲାଙ୍କ ସୁରକ୍ଷା ଲାଗି କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ. ପାଣ୍ଡିଆନ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ, ଆଇନ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ଅନିଲ କୁମାର ସାମଲ, ଜିଲ୍ଲାପାଳ ଭବାନୀଶଙ୍କର ଚୟନି, ସିଏମସି କମଶନର ଅନନ୍ୟା ଦାସ, ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ସୁପରିଟେଣ୍ଡେଣ୍ଟ ଡାକ୍ତର ଲୁସି ଦାସ, ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏଥିରେ ୧୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିବାବେଳେ ବୋଷ ପରିସର ଅସ୍ଥାୟୀ ହେଲିପ୍ୟାଡରୁ ତାଳଦଣ୍ଡା କେନାଲ ଦେଇ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲ ଅଭିମୁଖେ ଆସିଥିଲେ । ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଦେଇ ଆସୁଥିବାବେଳେ କେନାଲର ନୂତନ ବ୍ରିଜ ପାଖ (ଆଇ ଲଭ କଟକ) ଉଦ୍ୟାନ ଠାରେ ଅଟକି ଏହାର ଦୃଶ୍ୟ ଦେଖିଥିଲେ । ଏସସିବିରେ ଇକମୋ ମେସିନ ଲୋକାର୍ପଣ କରିବା ସହ ଏକ ଭିଡିଓ ମାଧ୍ୟମରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏସସିବିରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଇକମୋ ୟୁନିଟକୁ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିଥାନ୍ତେ । ଏଥିପାଇଁ ୯ଟି ଇକମୋ ମେସିନ୍ ଏସସିବିରେ ଇନଷ୍ଟଲେସନ୍ ସରିବା ସହ ଦିଲ୍ଲୀ ଓ କୋଲକାତାରୁ କମ୍ପାନୀର କର୍ମକର୍ତ୍ତା ପହଞ୍ଚି ଏହାର ଡେମୋ ମଧ୍ୟ ଦେଖାଇଥିଲେ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀ ମଧ୍ୟ ଏଥିପାଇଁ ତାଲିମ ନେଇ ସାରିଛନ୍ତି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଶିକ୍ଷଣ ନେବାକୁ ଯାଇଥିବା ଟିମ ଫେରି ନଥିବା ଯୋଗୁଁ ଏହାକୁ ୨୭ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଏସସିବି ମେଡ଼ିକାଲ ସୂତ୍ରରୁ କୁହାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ