କଟକ ଜିଲ୍ଲା ଗୋଡ଼ି ଝରିଆ ଗ୍ରାମରୁ ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ
#ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡି ଝରିଆ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ହେଉଥିବାର ଖବର ପାଇ ଅବକାରୀ ବିଭାଗ ଆଠଗଡ଼ ଓ କଟକ ଅବକାରୀ ସ୍କୋୟାର୍ଡର ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣେ ମହିଳା ଗଞ୍ଜେଇ ବ୍ୟବସାୟୀ ଗିରଫ ହୋଇଛି । ଗିରଫ ମହିଳା ଗଞ୍ଜେଇ ବ୍ୟବସାୟୀ ଜଣକ ସ୍ଥାନୀ ଗୋଡ଼ି ଝରିଆ ଗ୍ରାମର ଗୁଲୁରୀ ସାହୁ ବୋଲି ଜଣାପଡ଼ିଛି । ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ ତାଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ତେବେ ବିଭାଗ ପକ୍ଷରୁ ଏହି ଗଂଜେଇ ବ୍ୟବସାୟୀଙ୍କୁ ଧରିବା ପାଇଁ ୪ ଗୋଟି ଟିମ ତିଆରି କରାଯାଇ ଗୋଡିଝରିଆ ଓ ଭୀରୁଡ଼ା ଅଞ୍ଜଳରେ ପୃଥକ ପୃଥକ ଭାବେ ପେଟ୍ରୋଲିଙ୍ଗ ଚାଲିଥିଲା । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ନିକଟରେ ନରସିଂହପୁର ଅଞ୍ଚଳରୁ ଷାଠିଏ କେଜି ଚୋରା ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ୱେଷ୍ଟ ବେଙ୍ଗଲ ଚଲାଣ ହେଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା ।