କଟକ କଲେକ୍ଟୋରେଟ ଅଣଗେଜେଟେଡ଼ ଷ୍ଟାଫକମିଟି କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
#କଟକ(ଏନ୍.ଏମ୍.): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ନବନିର୍ବାଚିତ କଲେକ୍ଟୋରେଟ ଅଣଗେଜେଟେଡ଼ ଷ୍ଟାଫକମିଟିର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ଷ୍ଟାଫକମିଟି ପକ୍ଷରୁ କାର୍ଯ୍ୟାଳୟରେ ଅନ୍ତତଃ ସପ୍ତାହରେ ଗୋଟିଏ ଦିନ ସ୍ୱଚ୍ଛତା ଅଭିଯାନ ସଂଗଠିତ କରାଯାଉ । ଯାହାଫଳରେ କାର୍ଯ୍ୟାଳୟର ପ୍ରତ୍ୟେକ ସ୍ଥାନ ପରିଷ୍କାର ପରିଚ୍ଛନ ରହିବା ସହ ଏହା ଏକ ଆଦର୍ଶ କାର୍ଯ୍ୟରୂପେ ପରିଗଣିତ ହେବ । ଏତଦବ୍ୟତୀତ ଷ୍ଟାଫକମିଟି ଦ୍ୱାରା କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ରହିଛି । ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇବା ସହ ଷ୍ଟାଫକମିଟିର କାର୍ଯ୍ୟଧାରା ଅନ୍ୟମାନଙ୍କ ଦ୍ୱାରା ଅନୁକରଣୀୟ ହେଉବୋଲି ସେ ଆଶା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତିଷ୍ଠାନ ଅଧିକାରୀ ମାନସ କୁମାର ପରିଜା ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସୂଚାରୁ ରୂପେ କାର୍ଯ୍ୟ ସଂପାଦନ ନିମନ୍ତେ ଶପଥପାଠ କରାଇଥିଲେ । ଷ୍ଟାଫକମିଟିର ୯ଗୋଟି ପଦବୀ ନିମନ୍ତେ ଅନୁଷ୍ଠିତ ଏହି ନିର୍ବାଚନରେ ୧୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବାବେଳେ ସୁବ୍ରତ କୁମାର ମିଶ୍ର ସଭାପତି, ଗୁରୁ ଗୋବିନ୍ଦ ଦଳାଇ ସାଧାରଣ ସମ୍ପାଦକ, ସ୍ୱାଗତିକା ମହାନ୍ତି ଉପ ସଭାପତି, ସୁବ୍ରତ କୁମାର ସାହୁ ସଙ୍ଗଠନ ସମ୍ପାଦକ, ଜଗନ୍ନାଥ ଦଳାଇ ଅର୍ଥ ସମ୍ପାଦକ, ଉଦୟଭାନୁ ଜେନା କ୍ରୀଡ଼ା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏତଦବ୍ୟତୀତ ସଂସ୍କୃତିକ ସମ୍ପାଦକ ମିଲନ କୁମାର ମଲ୍ଲିକ, ସମ୍ପାଦକ ଚତୁର୍ଥ ଶ୍ରେଣୀବର୍ଗ ସୁରଜ୍ ଶେଖର ଦାସ ଓ ନିଖଲେସ ପ୍ରଧାନ କ୍ଷେତ୍ର ସମ୍ପାଦକ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନକୁ ନିର୍ବାଚନ ପ୍ରମୁଖ ନିର୍ବାଚନ ଅଧ୍ୟକ୍ଷ ମନୋଜ କୁମାର ପରିଜାଙ୍କ ସହିତ ବିଭିନ୍ନ ଉପବିଭାଗରୁ ମୁଖ୍ୟକିରାଣି, ବରିଷ୍ଠକିରାଣି ଓ କନିଷ୍ଠକିରାଣି ପରିଚାଳନାରେ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଯୋଗଦେଇ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କ ସମସ୍ୟାକୁ ଲାଘବ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଷ୍ଟାଫକମିଟିର ଉପସ୍ଥିତିକୁ ଏବଂ କାର୍ଯ୍ୟପ୍ରଣାଳୀକୁ ସବୁସ୍ତରରେ ପ୍ରତିଭାତ କରିବା ପାଇଁ କର୍ମକର୍ତ୍ତାମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ସେହିଭଳି ନବନିର୍ବାଚିତ ସଭାପତି ଶ୍ରୀ ମିଶ୍ର ଓ ସାଧାରଣ ସଂପାଦକ ଶ୍ରୀ ଦଳାଇ ସଦସ୍ୟ/ସଦସ୍ୟାମାନଙ୍କର ସାମଗ୍ରିକ ବିକାଶ ପାଇଁ ଷ୍ଟାଫକମିଟି ଦୃଢପରିକର ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବେହେରା, ଡେପୁଟୀ କଲେକ୍ଟର ପ୍ରତିଷ୍ଠାନ ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଏନ.ଏନ ରାଜଲକ୍ଷ୍ମୀ ଓଝା, ଡେପୁଟୀ କଲେକ୍ଟର ନିର୍ବାଚନ ଶଶାଙ୍କ ଶେଖର ମିଶ୍ର, ଡେପୁଟୀ କଲେକ୍ଟର ଅଭିପ୍ସା ପଟ୍ଟନାୟକ, ଡେପୁଟୀ କଲେକ୍ଟର ସାଧାରଣ ବିବିଧ ଅଳକାରାଣୀ ଦେବତା, ଜିଲ୍ଲା ସଂସ୍କୃତି ଅଧିକାରୀ ନଲିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭିନ୍ନ ଉପ-ବିଭାଗ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।