କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ
କଟକ (ଏନ୍.ଏମ୍.): କଟକସ୍ଥିତ କନିକା ଛକର ଏକ ମେଡ଼ିସିନ ଷ୍ଟୋରରୁ ଡ୍ରଗ୍ସ କେଣ୍ଟ୍ରାଲ ସ୍କ୍ୱାଡ ଦ୍ୱାରା ବିପୁଳ ପରିମାଣର ନକଲି ଫାଭିପିରାଭିର୍ ମେଡିସିନ୍ ଜବତ ହୋଇଛି । ଏହା ୧୭୦ ପେଟିରେ ୧୭ହଜାର ଟାବଲେଟ ରହିଥିଲା । ଜବତ ଫାଭିପିରାଭିର ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି । କିଛି ପରିମାଣର ନକଲି ଫାଭିପିରାଭିର ଗୋୱାଲିୟରକୁ ପଠାଯାଇଛି । ନକଲି ଔଷଧ ନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଜଣାଇ ଦିଆଯାଇ ଥିବା ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି । କନିକା ଛକରେ ଫାଭିପିରାଭିର ଔଷଧ ଏକ ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍ ମେଡିସିନ୍ ବିକ୍ରି ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ପକ୍ଷରୁ ଉକ୍ତ ମେଡ଼ିସିନ ଷ୍ଟୋରରେ ଚଢ଼ାଉ କରିବା ସମୟରେ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ଔଷଧ ଜବତ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ କଟକରୁ ଜବତ ହୋଇଥିବା ଫାଭିପିରାଭିର୍ ଔଷଧ ଉତ୍ତରପ୍ରଦେଶରୁ ଆସିଛି । ସେହି ଔଷଧ ଓଡ଼ିଶା ସହିତ ମଧ୍ୟପ୍ରଦେଶକୁ ମଧ୍ୟ ଯାଇଛି । ଏ ସଂକ୍ରାନ୍ତରେ ମଧ୍ୟପ୍ରଦେଶ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଶ୍ରୀ ଦାସ ପ୍ରକାଶ କରିଛନ୍ତି । ତେବେ କଟକରୁ ଜବତ ହୋଇଥିବା ଫାଭିପିରାଭିର୍ ଔଷଧ ଆଉ କେଉଁ ସହରକୁ ଯାଇଛି, ତାହା ଜଣାପଡ଼ିନାହିଁ । ଏବେ ତାହା ଉପରେ ଉପରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି । କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର୍ ଔଷଧ ବ୍ୟବହାର ହେଉଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଫାଭିପିରାଭିର ଔଷଧ ଦିଆଯାଉଛି । ଯେଉଁଥିପାଇଁ ଲୋକମାନେ ମନଇଚ୍ଛା ଫାଭିପିରାଭିର୍ ଔଷଧକୁ କିଣିନେଇ ଘରେ ଗଚ୍ଛିତ ରଖୁଛନ୍ତି । ଯାହାଫଳରେ ବଜାରରେ ଫାଭିପିରାଭିର୍ ଔଷଧର ଅଭାବ ଦେଖାଦେଉଛି । ଏହାର ସୁଯୋଗ ନେଇ କିଛି ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର୍ ଔଷଧ ତିଆରି କରି ବଜାରକୁ ଛାଡୁଥିବା ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି ।