କଟକ ଆର.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ: ତୁରନ୍ତ ପରିପକ୍ୱ ଜମା ଟଙ୍କା ଫେରସ୍ତ ଦାବି
#କଟକ(ଏନ୍.ଏମ୍.): ଦଶଟି ଜିଲ୍ଲାର ବିଭିନ୍ନ କମ୍ପାନୀ ଯଥା ସାହାରା, ଅର୍ଥତତ୍ତ୍ୱ, ସିସୋର, ମାଇକ୍ରୋ ଫାଇନାନ୍ସ, ଗୋଲଡେନ୍ ଲ୍ୟାଣ୍ଡ, ଗ୍ରୀନ୍ରେ, ରୋଜଭ୍ୟାଲି, ସାରଦା ସମେତ ଶତାଧିକ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚ’ ଓ ‘ସାହାରା ଜମାକାରୀ ମଞ୍ଚ’ ନେତୃତ୍ୱରେ ହଜାର ହଜାର ଜମାକାରୀ କଟକ ଆର.ଡି.ସି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି । ସାହାରା ଗ୍ରୁପ୍ ଅଧିନରେ ୨ଟି କମ୍ପାନୀ ଓ ୩ଟି ମଲ୍ଟିଷ୍ଟେଟ୍ ସମବାୟ ସଂସ୍ଥା ମାଧ୍ୟମରେ ଓଡ଼ିଶାର ପ୍ରତି ଗ୍ରାମରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ବର୍ଦ୍ଧିତ ସୁଧର ପ୍ରଲୋଭନ ଦେଖାଇ ଜମାଟଙ୍କା ନେଇ ପରିପକ୍ୱ ରାଶି ଫେରସ୍ତ ନଦେଇ, ନୂଆ ନୂଆ ନାମିତ ସ୍କିମ୍କୁ ଏହି ପରିପକ୍ୱ ରାଶି ପରିବର୍ତ୍ତନର ବାହାନାରେ ପରିପକ୍ୱ ରାଶି ଫାଙ୍କି ଚାଲିଛି । ଜମାକାରୀ ମିଳିତମଞ୍ଚ ପକ୍ଷରୁ ୨୦୧୨ ମସିହାରୁ ବିଭିନ୍ନ ତହସିଲ୍, ଜିଲ୍ଲା ସଦର ମହକୁମା ଏବଂ ରାଜ୍ୟ ରାଜଧାନୀରେ ଜମା ଟଙ୍କାର ପରିପକ୍ୱ ରାଶି ଦାବି କରିଥିଲେ ବି ସରକାର ଟଙ୍କା ଫେରସ୍ତରେ ପ୍ରତିଶ୍ରୁତି ଦେଇ ମଧ୍ୟ ଫେରସ୍ତ କରୁନାହାନ୍ତି । ସାହାରର ଜମା ଟଙ୍କାର ପରିପକ୍ୱତା ସମୟ ଅତିକ୍ରାନ୍ତ ସତ୍ତ୍ୱେ ଟଙ୍କା ଫେରସ୍ତ ନ ଦେବାରୁ ଜମାକାରୀମାନେ ସାହାରା ଇଣ୍ଡିଆର ବିଭିନ୍ନ ଅଫିସ୍ ଏବଂ ଜିଲ୍ଲାର ପ୍ରଶାସନିକ କାର୍ଯ୍ୟାଳୟରେ ଗଣ ସତ୍ୟାଗ୍ରହ ଆନ୍ଦୋଳନ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସାହାରା ବିରୁଦ୍ଧରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ, ବଡ୍ସ୍ କିମ୍ବା ଓପିଡା ଆଇନ୍ ଅନୁସାରେ ଜିଲ୍ଲାରେ କୌଣସି ଥାନାରେ ଇତାଲା ମଧ୍ୟ ରଖିଲେ ନାହିଁ । ସାହାରା ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ ସରକାରୀ ବାହୁଛାୟା ତଳେ ବନ୍ଦ କଲାଣି । ତେଣୁ ଓଡ଼ିଶା ସାରା ସାହାରାର କାର୍ଯ୍ୟାଳୟ ଥିବା ଅଞ୍ଚଳ ଥାନାରେ ସାହାରା ବିରୋଧରେ ମକଦ୍ଦମା ପଞ୍ଜିକରଣ କରି ତଦନ୍ତ କରିବା ସହ ପରିପକ୍ୱ ରାଶି ସୁଧ ସହ ଫେରାଇବା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ସେହିଭଳି ଗୋଲ୍ଡେନ୍ ଲ୍ୟାଣ୍ଡ ସଂସ୍ଥା ବିରୋଧରେ ଓପିଡା ଆଇନ୍ ଅନୁସାରେ ସମ୍ପତ୍ତି ବିକ୍ରୟ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ନିର୍ଦ୍ଦେଶ ଥିଲେ ବି ଇ-ଅକଶନ ଓ ଇ-ବିଡିଙ୍ଗ୍ ନାମରେ ସର୍ବ ସାଧାରଣଙ୍କୁ ବିଜ୍ଞାପନ ମାଧ୍ୟମରେ ପ୍ରଚାର ନକରି ଇ-ଅକଶନ୍ କରି ବଜାର ଦରର ଏକ ଦଶମାଂଶ ଦାମରେ ଅଭାବି ବିକ୍ରୟ କରାଇ ଜମାକାରୀଙ୍କ ଟଙ୍କା ଫେରସ୍ତ ରାସ୍ତା ସଂକୁଚିତ କରାଯାଉଛି । ସରକାର ଟଙ୍କା ରଖିଥିଲେ ବି ଫେରସ୍ତ ଦେଉନାହାନ୍ତି । ମାଇକ୍ରୋ ଫାଇନାନ୍ସର ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ମାଲିକ ନିର୍ଦ୍ଦେଶକମାନେ ମାଲିକାନା ହସ୍ତାନ୍ତର କଲେ ବି ପୁଲିସ୍, ପ୍ରଶାସନ, ଅର୍ଥନୈତିକ ଅପରାଧ ଶାଖା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୌଣସି ପଦକ୍ଷେପ ନେଲେ ନାହିଁ ।
ଏହି ପୃଷ୍ଠଭୂମିରେ ଅସାଧୁ ସାହାରା କମ୍ପାନୀ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ଲକ୍ଷ ଲକ୍ଷ ଜମାକାରୀଙ୍କ ଭବିଷ୍ୟତ ଅନ୍ଧାର କରିଥିବାରୁ ଅବିଳମ୍ବେ ସାହାରା ମାଲିକ, ନିର୍ଦ୍ଦେଶକ, ଆଞ୍ଚଳିକ ମୁଖ୍ୟମାନଙ୍କୁ ଗିରଫ କରି ସାହାରା ଗ୍ରୁପ୍ର ବ୍ୟାଙ୍କ ଜମା, ସମ୍ପତ୍ତି ଜବତ ସହ ସମ୍ପତ୍ତି ନିଲାମ କରି ସାହାରା ଜମାକାରୀଙ୍କୁ ସୁଧ ସହ ଟଙ୍କା ଫେରସ୍ତ, ଅନଧିକୃତ ଜମାରାଶି ସଂଗ୍ରହ ମହା ଠକେଇ ତଦନ୍ତ କରୁଥିବା କମିଶନକୁ ଚୁଡାନ୍ତ ରିପୋର୍ଟ ଓ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପୂର୍ବରୁ ବନ୍ଦ କରାଯାଇଥିବାରୁ ଅନ୍ୟାନ୍ୟ ସମସ୍ତ ଜମାକାରୀଙ୍କୁ ତହସିଲ୍ ଜରିଆରେ ଚିହ୍ନଟ କରି ଜମାଟଙ୍କା ଫେରସ୍ତ ପାଇଁ ଦାବି କରାଯାଇଛି । ଆଜି କଟକ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଜମାକାରୀ ଗଣ ସତ୍ୟାଗ୍ରହରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚ ଆବାହକ ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ମଞ୍ଚ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଉମେଶ ଚନ୍ଦ୍ର ନାୟକ, ସାହାରା ଜମାକାରୀ ମଞ୍ଚ ସଭାପତି ବିଜୟ କୁମାର ପାଢୀ, ଉପସଭାପତି ସୁନୀଲ କୁମାର ଦାଶ, ସମ୍ପାଦକ ସଞ୍ଜୀବ ପଣ୍ଡା, ଜିଲ୍ଲା ସଭାପତି ଅମରେଶ୍ୱର ତ୍ରିପାଠୀ, ଉପ-ସଭାପତି ପ୍ରକାଶ କୁମାର ସିଂହ, ସମ୍ପାଦକ ଶଣତ ଚନ୍ଦ୍ର ଶତପଥୀ, ସୌମରଞ୍ଜନ ପଣ୍ଡା, ହରିଶ ମହାନ୍ତି, କ୍ଷୀରୋଦ ସାହୁ, ସାବିତ୍ରୀ ନନ୍ଦ, ସୁଶାନ୍ତ ସାହୁ ଶରତ ଛାଟୋଇ, ଫକୀର ଚରଣ ବେହେରା ପ୍ରମୁଖ ଉଦ୍ବୋଧନ ଦେଇ ଅତୀତରେ ସରକାରୀ ପୃଷ୍ଠପୋଷକତାରେ ଅସାଧୁ କମ୍ପାନୀମାନେ ଜମାକାରୀଙ୍କୁ ଠକାଇଥିବାର ବେଳେ, ଏବେ ସରକାର ଜମାକାରୀଙ୍କ ଅର୍ଥରେ ସୃଷ୍ଟି କମ୍ପାନୀ ସମ୍ପତ୍ତି ନିଲାମ ଅର୍ଥ ହଡ଼ପ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ସାହାରା ୫ ହଜାର କୋଟି ଟଙ୍କା ସାହାରା ଜମାକାରୀଙ୍କୁ ଓ ବାକି ସମସ୍ତ କମ୍ପାନୀର ସମ୍ପତ୍ତି ନିଲାମ ଅର୍ଥ ବାକି ଜମାକାରୀଙ୍କୁ ତହସିଲ୍ ମାଧ୍ୟମରେ ଚିହ୍ନଟ ଓ ଜାଞ୍ଚ କରି ଟଙ୍କା ଫେରାଇବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି ।