କଟକରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ ମାର୍ଚ୍ଚରେ

#କଟକ(ଏନ୍.ଏମ୍.): ଶ୍ରୀ ଜଗନ୍ନାଥ ଚେତନା ମଞ୍ଚ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହାସମ୍ମିଳନୀ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆଠାରେ ୯ଦିନ ବ୍ୟାପି ଅନୁଷ୍ଠିତ ହେବ । ବିଶ୍ୱର ଶାନ୍ତି ନିମନ୍ତେ ୭ଦିନ ବ୍ୟାପୀ ବିଶିଷ୍ଟ ସାଧୁ ସନ୍ଥଙ୍କ ତତ୍ତ୍ୱାବଧାନରେ ମହାଯଜ୍ଞର ଆନ୍ଦୋଳନ କରାଯିବ । ଯଜ୍ଞରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ସାଧୁସନ୍ଥ ଯୋଗଦେବେ । ବିଶ୍ୱରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ମୁଖ୍ୟ ପରିଚାଳକମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପ୍ରଥମଥର ପାଇଁ ଶ୍ରୀ ଜଗନ୍ନାଥଙ୍କ ୩୨ବେଶ ସାଙ୍ଗକୁ କଳ୍କୀ ଅବତାର ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ହେବବୋଲି ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ହେବାକୁ ଥିବା ଏହି ମହା ସମ୍ମିଳନୀରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ବୃନ୍ଦ, ପୁରୀ ଗଜପତି ମହାରାଜଙ୍କ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଆମନ୍ତ୍ରଣ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ମିଳନୀକୁ ସଫଳ କରିବାପାଇଁ ୩୦ଟି ସବକମିଟି କରାଯାଇ ପ୍ରତ୍ୟେକ କମିଟିରେ ଜଣେ ଅଧ୍ୟକ୍ଷ, କାର୍ଯ୍ୟକାରୀ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଆବାହକ ଓ ଯୁଗ୍ମ ଆବାହକ ସମେତ ପାଞ୍ଚଜଣ ସଭ୍ୟ ସଭ୍ୟଙ୍କୁ ନିଆଯିବ । ଏହି କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ନିମନ୍ତେ ତଥା ଜଗନ୍ନାଥପ୍ରେମୀମାନଙ୍କୁ ଏକତ୍ରିତ କରିବାପାଇଁ ଆସନ୍ତା ଜାନୁୟାରୀ ୭ ତାରିଖରେ କଟକର ଶତାବ୍ଦୀ ଭବନଠାରେ ସର୍ବଭାରତୀୟ, ରାଜ୍ୟସ୍ତରୀୟ, ଜିଲ୍ଲାତଥା ଆଞ୍ଚଳିକ ଶାଖାର କର୍ମକର୍ତ୍ତା ମାନଙ୍କୁ ଶପଥପାଠ କରାଇବା ସଙ୍ଗେ ସଙ୍ଗେ ପ୍ରଶଂସାପତ୍ର ପ୍ରଦାନ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯିବାକୁ ସ୍ଥିର କରାଯାଇଥିବା ନେଇ ଅନୁଷ୍ଠାନ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସ୍ଥାନୀୟ ସର୍କିଟ ହାଉସ ଠାରେ ସର୍ବଭାରତୀୟ ସଭାପତି ସରୋଜ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ଡ.ପ୍ରଦୀପ କୁମାର ମହାନ୍ତି, ବିଶିଷ୍ଟ ଆଇନଜୀବୀ ବିଦ୍ୟାଧର ପ୍ରଧାନ, ଆଇନଜୀବୀ କୃତିବାସ କର, କେନ୍ଦ୍ରୀୟ ଉପସଭାପତି ମନୋରଞ୍ଜନ ଦାସ, କୃଷ୍ଣଚନ୍ଦ୍ର ମଲ୍ଲିକ, ସରୋଜ ଛୋଟରାୟ, ମହାସଚିବ ଡ.ଅଭିନ୍ନ ହୋତା, ସାଧାରଣ ସମ୍ପାଦକ ଡ. ବସନ୍ତ ଜେନା, ତୁଙ୍ଗଚରଣ ପ୍ରଧାନ, ପ୍ରଦ୍ୟୁମ୍ନ ମହାପାତ୍ର, ବିଜୟ କୁମାର ମହାରଣା, ସମ୍ପାଦକ ନିରଞ୍ଜନ ଦାସ, ମନୋଜ ପତି, ସସ୍ମିତା ମଲ୍ଲିକ, ରାଜ୍ୟ ସଭାପତି ଗୋଲଖ ବିହାରୀ ଦାସ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାଗ୍ୟଧର ଦାଶ, ଉପସଭାପତି ଶତୃଘ୍ନ ପଟ୍ଟନାୟକ, ଧନେଶ୍ୱର ନାୟକ, ମହାସଚିବ ସନ୍ତୋଷ କୁମାର ବେଉରା, ସାଧାରଣ ସମ୍ପାଦକ ସତ୍ୟନାରାୟଣ ଜେନା, ସାଦ୍ଧାର୍ଥ ଶଙ୍କର ସ୍ୱାଇଁ, ସୁନିଲ ପଣ୍ଡା, ଜୟଦେବ ଛାଟେଇ, ସମ୍ପାଦକ ମୁରଲୀଧର ଶତପଥୀ, ପ୍ରତାପ ରାଉତରାୟ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତଥିଲେ । ଅନୁଷ୍ଠାନର କାର୍ଯ୍ୟାଳୟ ସମ୍ପାଦକ ମାନସ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।