କଟକରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ୫-ଟି ସଚିବ

କଟକରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ୫-ଟି ସଚିବ

କଟକରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ୫-ଟି ସଚିବ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ସହରରେ ଏମସ୍ ପ୍ଲସ୍ ଭଳି ବିଶ୍ୱସ୍ତରୀୟ ପ୍ରକଳ୍ପ ସମେତ ବିଭିନ୍ନ ଉନ୍ନତି ମୂଳକ ନିର୍ମାଣ କାର୍ଯ୍ୟ ଅଞ୍ଚଳର ଶ୍ରୀ ବୃଦ୍ଧି କରିଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସହରକୁ ଅଧିକ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟମୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ୫-ଟି ସଚିବ ଭି.କେ. ପାଣ୍ଡିୟାନ କଟକ ସହରରେ ପହଞ୍ଚି ଚାଲିଥିବା ଏକାଧିକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀ ପାଣ୍ଡିୟାନ କଟକର ବିଶ୍ୱସ୍ତରୀୟ ନେତାଜୀ ବସ୍ ଟର୍ମିନାଲ(ସିଏନବିଟି) ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଉପସ୍ଥିତ ଉଚ୍ଚ ଅଧିକାରୀମାନଙ୍କ ସହ ଉକ୍ତ ଟର୍ମିନାଲର କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ଏହାର ପରିଚାଳନା ଓ ଆହାର କେନ୍ଦ୍ରର କାର୍ଯ୍ୟକାରିତା ସମ୍ପର୍କରେ ସେ ପଚାରି ବୁଝିଥିଲେ ।
ଏହାପରେ ୫-ଟି ସଚିବ ଶ୍ରୀ ପାଣ୍ଡିୟାନ ଚଣ୍ଡି ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରି ସେବାୟତମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ସେଠାରେ ନିର୍ମାଣ ହେବାକୁ ଥିବା ଯଜ୍ଞ ମଣ୍ଡପ, ରୋଷେଇଶାଳା, ପୋଲିସ କଣ୍ଟ୍ରୋଲ ରୁମ, ପ୍ରସାଦ ବିତରଣ କେନ୍ଦ୍ର, ମାର୍କେଟ କମ୍ପେ୍ଲକ୍ସ, ପାଚେରୀ, ପାର୍କିଂ ସ୍ଥଳ, କ୍ଲକ ରୁମ୍ ନିର୍ମାଣ ସମ୍ପର୍କରେ ପଚାରି ବୁଝିବା ସହିତ କାର୍ଯ୍ୟର ଅଗ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ତା’ପରେ ସେ କଟକର ସର୍ବାଧିକ ଆକର୍ଷଣୀୟ ସ୍ଥଳ ଭାବେ ପରିଚିତ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଥିଲେ । ସେଠାରେ ଚାଲିଥିବା କେତେକ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଶ୍ରୀ ପାଣ୍ଡିୟାନ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଦିନରେ ଯୋବ୍ରାଠାରୁ ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍କୁ ସୌର୍ନ୍ଦ୍ୟକରଣ କରିବା ପାଇଁ ସିଏମସି-ସିଡିଏ ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଗଣମାଧ୍ୟମକୁ ଅବଗତ କରାଇଛନ୍ତି । ସେହପରି ରାଣୀହାଟ ପୋଲ ନିକଟରେ ନବନିର୍ମିତ କ୍ଲକ୍ ଟାୱାର ଦେଖିବା ସହ ସେ ସମ୍ବନ୍ଧରେ ପଚାରି ବୁଝିଥିଲେ । ପରେ ସେ ଛତ୍ରବଜାରସ୍ଥିତ ନବନିର୍ମାଣ ଅର୍ବାନ ହାଟ ପରିଦର୍ଶନ କରି ତୁରନ୍ତ ସଂଯୁକ୍ତ ରାସ୍ତାର ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ଶ୍ରୀ ପାଣ୍ଡିୟାନ ମାତୃଭବନ ନିକଟ ରାସ୍ତା କାମ ବୁଲି ଦେଖିଥିଲେ । କଟକ ସହରରେ ଚାଲିଥିବା ଉପରୋକ୍ତ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହେବାକୁ ଯାଉଛି ଏବଂ ଏହିସବୁ କେବଳ ଉଦଘାଟନ ଅପେକ୍ଷାରେ ରହିଛି ବୋଲି କମିଶନର ଶ୍ରୀ କଲ୍ୟାଣ ସୂଚନା ଦେଇଛନ୍ତି । ସଚିବଙ୍କ ଏହି ପରିଦର୍ଶନ ବେଳେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, କଟକ ଡିସିପି ପିନାକ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ