କଟକରେ ପୁଣି ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଠାବ

କଟକ(ଏନ୍.ଏମ୍.): କଟକ ଏବେ ନକଲି କାରବାରର ପେଣ୍ଠସ୍ଥଳ ପାଲଟିଛି । କିଛିଦିନ ବ୍ୟବଧାନ ପରେ କଟକରୁ ପୁଣିଠାବ ହୋଇଛି ନକଲି ମସଲା କାରଖାନା । ବ୍ରାଣ୍ଡ କମ୍ପାନୀ ନାଁ କହି ଲୋକଙ୍କୁ ଦିଆଯାଉଥିଲା ନକଲି, ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ । ୪୨ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆର ଏକ କାରଖାନାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ନକଲି ହଳଦୀ ଓ ଲଙ୍କା ଗୁଣ୍ଡକୁ ଜବତ କରିଛି କମିଶନରେଟ ପୁଲିସ । ତେବେ ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖିଥିବା ବେଳେ ନକଲି ସମଗ୍ରୀର ସାମ୍ପୁଲ ସଂଗ୍ରହ କରିଛନ୍ତି ଗ୍ରାମଞ୍ଚଳ ଖାଦ୍ୟ ସୁରକ୍ଷା ଅଧକାରୀ । ହଳଦୀ ଓ ଲଙ୍କା ଗୁଣ୍ଡରେ ମିଶୁଚି ଚାଉଳ ଗୁଣ୍ଡ । ଲୋକଙ୍କୁ ବ୍ରାଣ୍ଡ ନାଁ ରେ ଦିଆଯାଉ ଥିଲା ରୋଗ । ତେବେ ଏହା ଉପରେ କମିଶନରେଟ ପୁଲିସ ନଜର ପଡିବା ପରେ ୨୦୦୩ ମସିହାରୁ ଚାଲିଥିବା ଏହି ଏହି ନକଲି ସାମ୍ରାଜ୍ୟରେ ପୁର୍ଣ୍ଣଛେଦ ପଡିଛି । ୧୯ ବର୍ଷ ଧରି ଏହି ଅଞ୍ଚଳରେ ନକଲି ମସଲା ତିଆରି ହେଉଥିଲା । କଟକ ସହର ସହିତ ବାହାରକୁ ମଧ୍ୟ ପଠାଯାଉଥିଲା ଏହି ଅପମିଶ୍ରିତ ମସଲା । ଖାଦ୍ୟ ସୁରକ୍ଷା ଲାଇସେନ୍ସ ବା ଅନ୍ୟ କୌଣସି ଦସ୍ତାବିଜ ବିନା ଚାଲିଥିଲା ଏହି କାରବାର । ଏହି ଘଟଣାରେ ଜଣେ ଅଟକ ରହିଥିଲା ବେଳେ ତଦନ୍ତ ଜାରି ରହିବ ବୋଲି ଏସିପି ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ ମଧ୍ୟ ୪୨ମୌଜା ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ କରାଯାଇଥିଲା । ବେଶ୍ କିଛି ଦିନ ଧରି ନକଲି ସସ୍, ନକଲି ମସଲା, ନକଲି ଜର୍ଦ୍ଦା,ନକଲି ଘିଅ ନକଲି ସିମେଣ୍ଟ କାରଖାନା ଆଦି କଟକରୁ ଠାବ ହୋଇଥିଲା । ବାରମ୍ବାର ପ୍ରଶାସନ ପକ୍ଷରୁ ନକଲି ସାମଗ୍ରୀ ପ୍ରସ୍ତୁତକାରୀ କାରଖାନା ଉପରେ ଚଢାଉ କରାଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକା ଯାଇ ପାରିନାହିଁ ।