କଟକରେ ଜିଏସ୍ଟି ଚଢ଼ାଉ: ନଗଦ ୧୭.୮୧ ଲକ୍ଷ ଟଙ୍କା ସମେତ ନଥି ପତ୍ର ଜବତ

#କଟକ(ଏନ୍.ଏମ୍.): ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍ଟି ବିଭାଗ ପକ୍ଷରୁ କଟକରେ ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମେତ ମୋଟ ୪ଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ୧୭,୮୧,୭୯୦ ଟଙ୍କା ସମେତ ବହୁ କାଗଜପତ୍ର ଜବତ କରାଯାଇଛି । ବ୍ୟବସାୟୀ ଜଣକ ହେଲେ ୪୨ ମୌଜା ଅଞ୍ଚଳର ରମେଶ ଚନ୍ଦ୍ର ଚୌଧୁରୀ । ସୂଚନା ଅନୁସାରେ, ଜିଏସ୍ଟି ବିଭାଗ ପକ୍ଷରୁ ଦିନ ପ୍ରାୟ ସାଢେ ଏଗାରଟାରୁ ରାତି ପ୍ରାୟ ୧୦ଟା ଯାଏ ଚଢ଼ାଉ କରାଯାଇଥିଲା । ୪ଟି ଟିମ୍ରେ ୨୦ ଜଣ ଜିଏସ୍ଟି ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ରମେଶଙ୍କ ଓଏମ୍ପି ଛକସ୍ଥିତ ମୁଖ୍ୟ ବ୍ୟବସାୟ ପ୍ରତିଷ୍ଠାନ ପଞ୍ଚମୁଖୀ ସାନିଟାରି ସମେତ, ଓଏମ୍ପି ଓ ମଧୁପାଟଣାରେ ଥିବା ପୃଥକ ଗୋଦାମ ଓ ରାଜେନ୍ଦ୍ରନଗରସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ ହୋଇଥିଲା । ବ୍ୟବସାୟୀଙ୍କ ଘରୁ ନଗଦ ପାଖାପାଖି ୧୭ ଲକ୍ଷ ୫୦ ହଜାର ୭୯୦ ଟଙ୍କା ଓ ବ୍ୟବସାୟ ପ୍ରତିଷ୍ଠାନରୁ ୩୦,୫୦୦ ଟଙ୍କା ମିଶି ମୋଟ ୧୭ ଲକ୍ଷ ୮୧ ହଜାର ୭୯୦ ଟଙ୍କା ଜବତ କରାଯାଇଥିବା ଜଣାଯାଇଛି । ଅପରପକ୍ଷରେ ଘରୁ ମିଳିଥିବା ଏତେ ପରିମାଣର ଟଙ୍କା ବ୍ୟାଙ୍କରେ ଜମା ହେବାକୁ ରଖାଯାଇଥିବା ବ୍ୟବସାୟୀ ରମେଶ ଜିଏସ୍ଟି ଅଧିକାରୀଙ୍କୁ ଜଣାଇଛନ୍ତି । ତେବେ ଅଧିକ ତଦନ୍ତ ଓ ଯାଞ୍ଚ ପରେ ଏହାର ସତ୍ୟତା ଜଣାପଡ଼ିବ ବୋଲି ସିଟି ଜିଏସ୍ଟି ଅଧିକାରୀ ବିରଞ୍ôଚ ମହାନନ୍ଦିଆ ସୂଚନା ଦେଇଛନ୍ତି ।