କଟକରେ ଚାଲିଛି ବେଧଡକ ଗୁଡ଼ିଉଡ଼ା: ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ବେଫିକର ପ୍ରଶାସନ

କଟକରେ ଚାଲିଛି ବେଧଡକ ଗୁଡ଼ିଉଡ଼ା: ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ବେଫିକର ପ୍ରଶାସନ

କଟକରେ ଚାଲିଛି ବେଧଡକ ଗୁଡ଼ିଉଡ଼ା: ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ବେଫିକର ପ୍ରଶାସନ

News by Kanhu Charana Panda (Jagatpur)

#କଟକ(ଏନ୍‌.ଏମ୍‌.): କଟକ ଅଞ୍ଚଳରେ ଗୁଡ଼ି ଉଡ଼ା ଯୋଗୁଁ ବହୁ ଧନ ଜୀବନ କ୍ଷତି ହେଉଛି । ତଥାପି ଏବେ କଟକ ସମେତ ସହର ଉପକଣ୍ଠରେ ବେଧଡକରେ ଚାଲିଛି ଗୁଡ଼ି ଉଡ଼ା । ଆସନ୍ତା ୧୪ତାରିଖରେ ପବିତ୍ର ମକର ସଂକ୍ରାନ୍ତି ପଡ଼ୁଥିବାରୁ କଟକରେ ଗୁଡ଼ି ଉଡାର ଏକ ନିଆରା ପରମ୍ପରା ରହିଛି । ମାତ୍ର ପରମ୍ପରାକୁ ରକ୍ଷା କରିବାକୁ ଯାଇ ଏଠାରେ ପ୍ରବଳ ଗୁଡ଼ି ଉଡ଼ା ଚାଲିଥିବାବେଳେ ରାସ୍ତାରେ ମାଞ୍ଜାସୂତା ଯୋଗୁଁ ବେକ କଟି ବହୁ ଧନଜୀବନ କ୍ଷତି ହୋଇସାରିଛି । ତଥାପି ଏ ନେଇ ପ୍ରଶାସନର ଲଗାମ ନରହିବା ଦୁର୍ଭାଗ୍ୟ ଜନକ ବୋଲି ଚର୍ଚ୍ଚା ହେଉଛି । ଆଜି ଜଗତପୁର ଅଞ୍ଚଳରେ ଏଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି । ଜଣେ ଯୁବକ ବାଇକ ନେଇ ଯାଉଥିବାବେଳେ ହଠାତ ମାଞ୍ଜାସୂତା ତାଙ୍କ ଗାଲରେ ବାଜି ଗାଲ କଟି ଯାଇଥିବା ଦେଖିବାକୁ ମିଳିଛି । ସୌଭାବ୍ୟ ବଶତଃ ଏହି ମାଞ୍ଜାସୂତା ତାଙ୍କ ବେକରେ ନବାଜି ଗାଲରେ ବାଜିଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ବାଇକ ଆରୋହୀ । ତେବେ ଅତୀତରେ ଗୁଡ଼ି ସୂତା ଲାଗି ବହୁ ଦୁର୍ଘଟଣା ହେବା ସହ ଏକାଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ଏହାକୁ ନଜରରେ ରଖି ତତ୍‌କାଳୀନ ଜିଲ୍ଲାପାଳ କଟକ ସହରରେ ଗୁଡ଼ି ଉଡାଇବା ପାଇଁ କଟକଣା ଲଗାଇଥିଲେ । ଏପରିକି ଜନବଶତି ଠାରୁ ଦୂରରେ ମହାନଦୀ ପଠାରେ ଗୁଡ଼ି ଉଡାଇବା ପାଇଁ ଅନୁମତି ଥିବାବେଳେ ରାସ୍ତାକଡ଼ରେ କିମ୍ବା ଛାତ ଉପରେ ଗୁଡ଼ିଉଡ଼ାଇଲେ ଏହାକୁ ଧର୍ତ୍ତବ୍ୟ ଅପରାଧ ବୋଲି ଘୋଷଣା କରାଗଲା । ତେବେ ସେହି ବର୍ଷ ପୁଲିସ ପ୍ରଶାସନ ଗୁଡ଼ି ଉଡ଼ାଇବା ବେଳେ ଚଢ଼ାଉ କରିଥିଲା । ମାତ୍ର ସେହି ବର୍ଷ ପର ଠାରୁ ଏ ନେଇ ଆଉ କଟକଣା ନଲଗାଇବା ଫଳରେ ଏବେ ରାସ୍ତାଘାଟ ଚାରିଆଡେ ଗୁଡ଼ି ଉଡ଼ୁଥିବା ଦେଖିବାକୁ ମିଳିଛି । ଏ ସବୁକୁ ସ୍ଥାନୀୟ ପୁଲିସ ପ୍ରଶାସନ ଦେଖୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପୁନଶ୍ଚ ସହର ତଥା ସହର ଉପକଣ୍ଠରେ ବହୁ ବ୍ୟବସାୟ ପ୍ରତିଷ୍ଠାନରେ ଗୁଡ଼ି, ନଟେଇ, ମାଞ୍ଜାସୂତା ମଧ୍ୟ ଅବାଧରେ ବିକ୍ରି ହେଉଛି । ତେଣୁ ଗୁଡ଼ି ଉଡ଼ାକୁ ବନ୍ଦ କରିବାରେ ପ୍ରଶାସନ ବିଫଳ ହେଉଥିବା ଚର୍ଚ୍ଚା ହେଉଛି । ତେବେ ଚଳିତ ବର୍ଷ ଏ ନେଇ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ସୂଚନା ଯୋଗ୍ୟ ଯେ, ଗତ ମାସରେ ଗୁଡ଼ି ସୂତା ଲାଗି ଦୁଇ ଦୁଇ ଜଣ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣାକୁ ମାତ୍ର ୧୫ଦିନ ନପୁରୁଣୁ ପୁଣି ଗୁଡ଼ି ସୂତା ଦୁର୍ଘଟଣା ଘଟିଛି । ସେହିଭଳି ଗତବର୍ଷ ଜଗତପୁର ଅଞ୍ଚଳରେ ଗତବର୍ଷ ନବଦମ୍ପତ୍ତି କଟକ ଆସୁଥିବାବେଳେ ଗୁଡ଼ି ସୂତା ଲାଗି ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଏହି ଭଳି ଅବାଧ ଗୁଡ଼ି ଉଡ଼ା ଯୋଗୁଁ କିଛି ଲୋକଙ୍କ ସଂସାର ଉଜୁଡ଼ି ଯାଉଛି । ତେଣୁ ଆଉ କେତେ ଜଣଙ୍କ ପ୍ରାଣ ଗଲେ ପ୍ରଶାସନର ଚେତାପଶିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ