କଟକରେ ଚାଞ୍ଚଲ୍ୟ:୨ ବର୍ଷ ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ସାବତ ମା’

କଟକରେ ଚାଞ୍ଚଲ୍ୟ:୨ ବର୍ଷ ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ସାବତ ମା’

କଟକରେ ଚାଞ୍ଚଲ୍ୟ:୨ ବର୍ଷ ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ସାବତ ମା’

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକରେ ୨ବର୍ଷର ଛୁଆକୁ ମାରି ନିଜେ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ୨ ବର୍ଷର ପୁତ୍ର ସନ୍ତାନର ତଣ୍ଟି କାଟି ସାବତ ମା’ ଫାଶୀଦେଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତିରେ ମହିଳାଜଣକ ଶିଶୁପୁତ୍ରକୁ ନେଇ ରୁମରେ ଶୋଇଥିବାବେଳେ ଆଜି ସକାଳେ ମହିଳା ଜଣକ କବାଟ ଖୋଲିନଥିଲେ । ତେବେ ପଡୋଶୀ ଲୋକେ କବାଟ ବାଡେଇଥିଲେ ସୁଦ୍ଧା କବାଟ ନଖୋଲିବାରୁ ସନ୍ଦେହ ବଢ଼ିଥିଲା । ଫଳରେ ଲୋକେ ସ୍ଥାନୀୟ ମଧୁପାଟଣା ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ବାଡେଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ପୁଲିସ ସମସ୍ତଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଘର ଭିତରେ ପଶିଥିଲା । ସେଠାରେ ଯାହା ଦେଖିଲା ତାହା ବିଶ୍ୱାସ ବାହାରେ ଥିଲା । ଖଟ ଉପରେ ପିଲାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତା’ର ତଣ୍ଟି କଟା ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଉକ୍ତ ଘରେ ହିଁ ମହିଳାଜଣକ ବେକରେ ଶାଢ଼ୀ ବାନ୍ଧି ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ତୁରନ୍ତ ଉଭୟଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ମହିଳାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି । ଏନେଇ ତାଙ୍କୁ ଖବର ଦିଆଯାଇଥିବା ବେଳେ ସେ ମେଡିକାଲରେ ପହଞ୍ଚିଥିଲେ । ମହିଳାଜଣକ ସନ୍ତୋଷଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି । ମୃତା ମହିଳାଙ୍କ ନାମ ଶିଲ୍ପୀ ଖୁଣ୍ଟିଆ ଏବଂ ଶିଶୁଟିର ନାମ ଶିବାନ ବୋଲି ଜଣାପଡ଼ିଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫରେନସିକ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି । ସାବତ ମା’ ଓ ଛୁଆ ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ହଟି ନଥିବା ବେଳେ ଉଭୟ ପରିବାର ପରସ୍ପର ଉପରେ ଦୋଷାରୋପ କରୁଛନ୍ତି ।
ସୂଚନା ଅନୁଯାୟୀ, ସନ୍ତୋଷ ପ୍ରଥମେ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପିଲାଟିକୁ ତା’ ମାମୁଁ ଘର ଲୋକେ ନେଇ ଯାଇଥିଲେ । ମାତ୍ର ପରେ ସନ୍ତୋଷ ଦ୍ୱିତୀୟ ବିବାହ କରିଥିବାବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ପିଲାଟିର ସବୁ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପିଲାଟିକୁ ସେ ନିଜ ପାଖରେ ରଖିଥିଲେ । ମହିଳାଜଣକ ପିଲାଟିକୁ ଖୁବ୍ ଭଲ ପାଉଥିଲେ ବି ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ପିଲାଟିକୁ କାଳେ କିଏ ଛଡ଼ାଇ ନେବ ବୋଲି ବି ତାଙ୍କର ସବୁବେଳେ ଡର ରହୁଥିଲା । ୨ ଦିନ ପୂର୍ବେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସାଂଘାତିକ ଝଗଡ଼ା ହୋଇଥିଲା । ଏହାପରେ ବ୍ୟକ୍ତିଜଣକ ନିଜ ଘରକୁ ପଳାଇଥିବା ବେଳେ ଗତ ରାତିରେ ମହିଳାଜଣକ ଏପରି ପଦକ୍ଷେପ ନେଇଥିବା ଶୁଣିବାକୁ ମିଳିଛି । ଏ ନେଇ ମୃତା ମହିଳାଙ୍କ ପରିବାର ଲୋକେ କହିଛନ୍ତି, ଜ୍ୱାଇଁଙ୍କର ରୋଜଗାର କିଛି ନଥିବା ବେଳେ ଝିଅ ଅଧିକାଂଶ ସମୟରେ ବାପଘରେ ରହୁଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । କେବଳ ସେତିକି ନୁହେଁ, ଜ୍ୱାଇଁ ସବୁବେଳେ ଝିଅକୁ ମାନସିକ ନିର୍ଯାତନା ଦେଉଥିଲା । ତେଣୁ ଝିଅ ଛୁଆକୁ ମାରି ଏପରି ଚରମ ପଦକ୍ଷେ ନେଇଛି । ଅପରପକ୍ଷେ ପୁଅର ବାପାମା’ କହିଛନ୍ତି, ବୋହୂ ସବୁବେଳେ କଳି କରୁଥିଲା । ଆମ ପୁଅକୁ ଶାନ୍ତିରେ ରଖାଇ ଦେଉ ନଥିଲା । ଶେଷରେ ଆମ ନାତିକୁ ମାରି ନିଜେ ମରିଗଲା । ଏ ନେଇ ସନ୍ତୋଷ ମଧ୍ୟ କହିଛନ୍ତି ଯେ, ପତ୍ନୀଙ୍କ ପରିବାର ଅଯଥାରେ ଅଧିକ ହସ୍ତକ୍ଷେପ କରୁଥିଲେ । ସେ ସବୁବେଳେ ଟଙ୍କା ଚାହୁଁଥିଲେ । ପତ୍ନୀ ମଧ୍ୟ ମୋ’ ଘର ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନଥିଲା । ମୋ’ ପୁଅକୁ ଭଲ ପାଉଥିଲା । ହେଲେ ତାକୁ ସବୁବେଳେ ନିଜ କବଳରେ ରଖିବାକୁ ଚେଷ୍ଟା କରୁଥିଲା । ତେବେ ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସନ୍ତୋଷ ପ୍ରାୟ ୬ ମାସ ତଳେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଏଥିସହ ବିବାହ ବିଚ୍ଛେଦ କରିବାକୁ ମଧ୍ୟ ଚାହୁଁଥିଲେ । ମାତ୍ର ବିଚ୍ଛେଦ ହେଲେ ଛୁଆକୁ ମାରିବା ସହ ନିଜେ ମରିଯିବେ ବୋଲି ମହିଳାଜଣକ ଧମକ ଦେଇଥିବା ତାଙ୍କ ସ୍ୱାମୀ କହିଛନ୍ତି । ତେବେ ଏ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ମଧୁପାଟଣା ଥାନା ଅଧିକାରୀ କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ