କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ
କଟକ(ଏନ୍.ଏମ୍.): କଟକ ସହରରେ ଏବେ କରୋନା ପୁଣି ଲେଉଟାଣୀ ନେଇଛି । ପ୍ରତିଦିନ କିଛିକିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଗୋଟିଏ ପରିବାରର ୬ଜଣ ବ୍ୟକ୍ତିଙ୍କ ନମୂନାରେ କୋଭିଡ ପଜିଟିଭ ବାହାରିଛି । ଯାହାକୁ ନେଇ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯିବା ସହ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏ ନେଇ ସିଏମସି କମିଶନର ଅନନ୍ୟା ଦାସ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ସିଏମସି ୨୭ନମ୍ବର ୱାର୍ଡ଼ ନୂଆ ରାଉସାପାଟଣା ଗୋପବନ୍ଧୁ ବିହାର ଅଞ୍ଚଳର ବ୍ରଜଗୋପାଳ ଦାସଙ୍କ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ଏହି ଗୃହକୁ ବାହାରଲୋକ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି । ଏଥି ସହିତ ଅନ୍ୟମାନଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ତେବେ ଏହି ଗୃହରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇବା ନିମନ୍ତେ ସିଏମସିର ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କଣ୍ଟେନମେଣ୍ଟ ଜୋନ ପରିସର ମଧ୍ୟରେ ରହୁଥିବା ବ୍ୟକ୍ତିମାନଙ୍କୁ ଗ୍ରୋସରୀ, ପନିପରିବା, ଦୁଗ୍ଧ, ଔଷଧ ଆଦି ଯୋଗାଇବା ନିମନ୍ତେ ୱାର୍ଡ଼ ଅଧିକାରୀ ଉମାକାନ୍ତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସମସ୍ତ ତଦାରଖ ପାଇଁ ସେକ୍ଟର ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ, ସାନିଟେସନ ପାଇଁ ତ୍ରୈଲୋକ୍ୟ ସାହୁ, କଣ୍ଟାକ୍ଟ ଟ୍ରେସିଂ ତଦାରଖ ପାଇଁ ଡାକ୍ତର ସ୍ମୃତିରଞ୍ଜନ ସାମଲ, ସ୍ୱାସ୍ଥ୍ୟାବସ୍ଥା ତଦାରରଖ ନିମନ୍ତେ ଥୋରିଆ ସାହି ୟୁପିଏଚସି ଫାର୍ମାସିଷ୍ଟ ବିପ୍ଲବ କୁମାର ସ୍ୱାଇଁଙ୍କ ଦାୟିତ୍ୱ ଦିଆଯାଇଛି ।