କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ

କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ

କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ
ହରଡ଼ଘଣାରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): କଟକସହର ମୁହଁ ହାତୀ ପଲ । ଯାହାକୁ ନେଇ ସହରବାସୀ ଆତଙ୍କିତ । ହାତୀପଲ କଟକ ସହର ତଥା ଏହାର ଉପକଣ୍ଠ ଚୌଦ୍ୱାର, ଜଗତପୁର, ସିଡିଏ ଆଦି ଅଞ୍ଚଳରେ ହାତୀ ଉତ୍ପାତ ବୃଦ୍ଧି ପାଉଥିବା ନେଇ ଅଞ୍ଚଳ ବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଯାହାକୁ ନେଇ ବନବିଭାଗ ମଧ୍ୟ ହରଡ଼ଘଣାରେ ପଡ଼ିଛି । ହାତୀମାନଙ୍କୁ କେଉଁ ଆଡକୁ ପଠାଇବ ତାହାକୁ ନେଇ ଅଧିକାରୀ ଓ କର୍ମଚାରୀଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି । ହାତୀମାନେ କଟକ ସହର ଅଭିମୁଖେ ଚାଲିଆସିଥିବାବେଳେ ଏବେ ଫେରିବା ବାଟରେ ଲୋକେ ଜଗି ରହିଛନ୍ତି । ନିଜ ଅଞ୍ଚଳକୁ ହାତୀ ପୁରାଇ ନଦେବା ପାଇଁ ଲୋକେ ମଧ୍ୟ ଟାୟାର ଜାଳି ଜଗିରହିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରୁ ଏକ ହାତୀ ଦଳ ଚୌଦ୍ୱାର ନୂଆପାଟଣା ଅଞ୍ଚଳରେ ଘାଣ୍ଟିବା ସହ ଭୋରୁ ଭୋରୁ ମହାନଦୀର ନନ୍ଦିକେଶ୍ୱରୀ ପଠାରେ ରହିଥିଲେ । ତେବେ ସଂଧ୍ୟା ହେବା ପରେ ହାତୀମାନେ ଏବେ ନନ୍ଦିକେଶ୍ୱରୀ ପଠାରୁ କ୍ୟାଟେନମେଣ୍ଟ ଥାନା ନିକଟବର୍ତ୍ତୀ ଧଡ଼ିଆ ପଠା ଠାରେ ରହିଛନ୍ତି । ଏହି ହାତୀ ଦଳରେ ୧୭ଟି ହାତୀ ରହିଥିବାବେଳେ ଗୋଟିଏ ଛୁଆ ହାତୀ ରହିଛି । ତେବେ ଏହି ହାତୀଦଳ ମହାନଦୀରେ ପହଁରି ପହଁରି ପଠା ପର୍ଯ୍ୟନ୍ତ ଆସିଥିବାରୁ ରାତିରେ ଏମାନେ କଟକ ସହରରେ ପ୍ରବେଶ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଫଳରେ ଏହି ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ ହାତୀମାନଙ୍କୁ କଟକ ସହରରେ ପ୍ରବେଶ କରିବାକୁ ନଦେବା ନିମନ୍ତେ ବନ ବିଭାଗ ପକ୍ଷରୁ କର୍ମଚାରୀମାନେ ଲାଇଟ ପକାଇବା, ବାଣ ଫୁଟାଇବା ସହ ବୋଟ ମାଧ୍ୟମରେ ପଠା ନିକଟକୁ ଯାଇ ହାତୀମାନଙ୍କୁ ଚୌଦ୍ୱାର ଅଭିମୁଖେ ଘଉଡ଼ାଇବା ପାଇଁ ଉଦ୍ୟମ କରୁଛନ୍ତି । ସେହିଭଳି ଚୌଦ୍ୱାର ଅଞ୍ଚଳରେ ଏହି ହାତୀ ଦଳ କିଭଳି ନପଶିବେ ସେ ନେଇ ବନବିଭାଗର ଏକ ଟିମ ସହିତ କିଛି ଲୋକ ମଧ୍ୟ ହାତୀ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ଏପରିକି ଆଠଗଡ଼ ବନ ବିଭାଗ କର୍ମଚାରୀ ମଧ୍ୟ ସଜାଗ ରହିଛନ୍ତି । ତେବେ ହାତୀ କେଉଁ ଆଡ଼କୁ ଯିବେ ତାହା ସ୍ପଷ୍ଟ ହୋଇ ପାରିନଥିବାବେଳେ ସମସ୍ତ କର୍ମଚାରୀମାନେ ସଜାଗ ରହିଛନ୍ତି ।
ସୂଚନା ଯୋଗ୍ୟ ଯେ, ସମ୍ପ୍ରତି ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ହାତୀମାନେ ଖାଦ୍ୟ ଅନ୍ୱେଷଣ ପାଇଁ ଗ୍ରାମାଭିମୁଖୀ ହେଉଛନ୍ତି । ଗତ ୨ମାସ ତଳେ ଏକ ୧୫ଟି ହାତୀ ଦଳ ଆଠଗଡ଼ ଜଙ୍ଗଲରୁ ମହାନଦୀରେ ଚାଲି ଆସି ଚୌଦ୍ୱାର ନୂଆପାଟଣା, ଚଷାପଡ଼ା, ପାଇକ ରାୟପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଜଗତପୁର ଆଡ଼କୁ ଆସିଥିଲେ । ତେବେ ଜଗତପୁର ଅଞ୍ଚଳରେ ୨ଟି ହାତୀ ଉତ୍ପାତ ସୃଷ୍ଟି କରିଥିବାବେଳେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ସେହିଭଳି ହାତୀ ଉତ୍ପାତ ଯୋଗୁଁ ଜଗତପୁର ଅଞ୍ଚଳରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ଏଭଳି ଘଟଣା ମନରୁ ନଲିଭୁଣୁ ପୁଣି ଏହି ଅଞ୍ଚଳରେ ହାତୀ ପ୍ରବେଶ କରିବା ନେଇ ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବନବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି । ବାରମ୍ବାର ହାତୀ ପ୍ରବେଶ ଦ୍ୱାରା ଫସର ବ୍ୟାପକ କ୍ଷତି ହେଉଥିଲେ ମଧ୍ୟ ଅନୁକମ୍ପା ମିଳୁନାହିଁ । ତେଣୁ ହାତୀମାନଙ୍କୁ ନିଜ ଅଞ୍ଚଳରେ ପୁରାଇ ନଦେବା ପାଇଁ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ଛକି ରହିଛନ୍ତି । ମାତ୍ର ହାତୀ କିଭଳି ଗ୍ରାମାଭିମୁଖୀ ନହେବେ ସେ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହାର ସଫଳ ରୂପାୟନ ହୋଇ ପାରୁନଥିବା ଯୋଗୁଁ ହାତୀ ମଣିଷ ମଧ୍ୟରେ ବାରମ୍ବାର ଅଘୋଷିତ ଲଢ଼େଇ ଜାରି ରହିଛି । ଏ ନେଇ ବନଖଣ୍ଡ ଅଧିକାରୀଙ୍କ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ହୋଇନଥିଲା ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ