କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ
କଟକ (ଏନ୍.ଏମ୍.): କଟକ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱ ନେବା ପରେ ବିଭିନ୍ନ ଷ୍ଟେସନ ମାନଙ୍କରେ ଉନ୍ନତିକରଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କଟକରେ ଥିବା ରେଳ ଷ୍ଟେସନର ଉନ୍ନତିକରଣ ଓ ଆଧୁନିକକରଣ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଖୋର୍ଦ୍ଧା ରୋଡ ଡିଆରଏମ ଶଶୀକାନ୍ତ ସିଂ ସୂଚନା ଦେଇଛନ୍ତି । ଆଜି ଅପରାହ୍ଣରେ ଡିଆରଏମ ଶ୍ରୀ ସିଂ କଟକ ଷ୍ଟେସନରେ ପହଞ୍ଚି ନିରୀକ୍ଷଣ କରିଛନ୍ତି । ଷ୍ଟେସନରେ ପହଞ୍ଚିବାପରେ ଯାତ୍ରୀଙ୍କ ଯାତାୟତର ସୁବିଧା, ପରିମଳ ଓ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ । ଯାତ୍ରୀଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ, ବିଶ୍ରାମଗାର, ପରିଶ୍ରାଗାର, ଖାଦ୍ୟ ଇତ୍ୟାଦି ବ୍ୟବସ୍ଥା ବୁଲି ଦେଖିଥିଲେ । ଯାତ୍ରୀମାନଙ୍କୁ କିଭଳି ଆହୁରି ଉନ୍ନତମାନର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେଥିଲାଗି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ରେଳ ଷ୍ଟେସନର ଆଧୁନିକକରଣ କରିବା ଲାଗି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଯେଉଁ ସ୍ଥାନ ମାନଙ୍କରେ ବର୍ଷା ପାଣି ଜମୁଛି ସେହି ସ୍ଥାନଗୁଡିକ ଖୁବ ଶୀଘ୍ର ମରାମତି କାର୍ଯ୍ୟ ସମ୍ପାଦନା ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ସ୍ଥାନୀୟ ଶିଖରପୁର ଠାରେ ଥିବା ରେଳବାଇର ଗୁଡସେଡ଼ (ପଣ୍ୟ ଗୋଦାମ) ପରିଦର୍ଶନ କରି ଏହାର ଉନ୍ନତି କରଣ ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ । ଏହାପରେ ପ୍ଲାଟ ଫର୍ମ ବୁଲିବା ସହିତ ଯାତ୍ରୀଙ୍କ ସୁବିଧା ବିକାଶ ଲାଗି ଜନସାଧାରଣଙ୍କ ମତାମତ ଲୋଡିଥିଲେ । ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଶୀଘ୍ର କାର୍ଯ୍ୟ ଶେଷ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସୀମକ୍ଷାରେ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ରେଳବାଇ ପୁଲିସ, ଜିଆରପି ଅଧିକାରୀ ଉପସ୍ଥିତ ଥିଲେ ।