କଟକରୁ ଭଦ୍ରକ-ନୟାଗଡ଼ ଟାଉନକୁ ମେମୁ ଟ୍ରେନର ଶୁଭାରମ୍ଭ
ଖୁବ ଶୀଘ୍ର ଓଡ଼ିଶାରେ ଚାଲିବ ବନ୍ଦେ ଭାରତ ଟ୍ରେନ୍ -ଧର୍ମେନ୍ଦ୍ର ପ୍ରଧାନ
କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ -ଅଶ୍ୱିନୀ ବୈଷ୍ଣବ

#କଟକ(ଏନ୍.ଏମ୍.): ପବିତ୍ର ଶ୍ରୀରାମ ନବମୀ ଅବସରରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଟ୍ରେନର ଶୁଭାରମ୍ଭ ଦ୍ୱାରା ଭଦ୍ରକ ଓ ନୟାଗଡବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଏହି ନୂତନ ଟ୍ରେନ୍ ସ୍ଥାନୀୟ ନାଗରିକଙ୍କୁ ଉନ୍ନତ ରେଳ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ପ୍ରଦାନ କରିବ । ଅତୀତରେ ଓଡ଼ିଶାକୁ ରେଳବାଇରେ ଅର୍ଥ ଆସୁନଥିଲା । ମାତ୍ର ମୋଦି ସରକାରରେ ଓଡ଼ିଶାକୁ ରେଳ ଅନୁଦାନ ବଢିଥିଲାବେଳେ ପୂର୍ବୋଦୟର ସ୍ୱପ୍ନ ସାକାର ହେଉଛି । ପ୍ରଥମ ଥର ପାଇଁ ଓଡ଼ିଶାର ୫୭ ଟି ରେଳ ଷ୍ଟେସନର ନବୀକରଣ ହେବ । ରାଜ୍ୟରେ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦିଆଯାଉଛି । କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ୱରର ଷ୍ଟେସନ ଜାତୀୟସ୍ତରର ଷ୍ଟେସନ ହେଉଛି । ଆଗାମୀ ଦିନରେ ଭୁବନେଶ୍ୱର ଓ କଟକ ଷ୍ଟେସନ ଅନ୍ତରାଷ୍ଟ୍ରୀୟ ଷ୍ଟେସନ ନେଇ କଳ୍ପନା ରଖାଯାଇଛି । ଖୁବ ଶୀଘ୍ର ଓଡ଼ିଶାରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ହେବାକୁ ଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପରାମର୍ଶରେ ଓଡ଼ିଶାରେ ପ୍ରଗତିର ରଥ ଗତିଶୀଳ ହେବ ଏବଂ ଦେଶର ଅର୍ଥନୀତିରେ ଓଡ଼ିଶାର ବହୁତ ବଡ ଯୋଗଦାନ ରହିବ ବୋଲି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଅନୁରୋଧକୁ ରଖି ମେମୁ ରେଳ ପ୍ରକଳ୍ପକୁ ଅନୁମୋଦନ କରି ଓଡ଼ିଶା ତଥା ଓଡ଼ିଆଙ୍କ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ ଯେ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ଏବଂ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ସହର ଦେଇ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲା ମଧ୍ୟରେ ସିଧାସଳଖ ଟ୍ରେନ୍ ସଂଯୋଗ ରାଜ୍ୟର ପାଞ୍ଚଟି ଜିଲ୍ଲାକୁ ସଂଯୋଗ କରୁଛି ଯାହାକି ଲୋକମାନଙ୍କର ବହୁଦିନର ଆକାଂକ୍ଷାକୁ ପୁରାଣ କରିବ । ଏହି ଟ୍ରେନ୍ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଦୀର୍ଘ ଦିନର ଆକାଂକ୍ଷା ଥିଲା ଏବଂ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ନିର୍ମାଣ ଭିତ୍ତିପ୍ରସ୍ତର ଉତ୍ସବରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା, ଯାହାକି ବର୍ତ୍ତମାନ ପୂରଣ ହୋଇଛି । ମେମୁ ଟ୍ରେନ୍ର ଶୁଭାରମ୍ଭ ହେବା ଦ୍ୱାରା ଭଦ୍ରକ ଠାରୁ ନୟାଗଡ ପର୍ଯ୍ୟନ୍ତ ଦୈନିକ ହଜାର ହଜାର ଲୋକ ଉପକୃତ ହେବେ । ଖୁବ୍ କମ୍ ସମୟ ତଥା କମ ଖର୍ଚ୍ଚରେ ଲୋକେ ଭଦ୍ରକରୁ ନୟାଗଡ଼ ମଧ୍ୟରେ ଯାତାୟତ କରିପାରିବେ । ମାତ୍ର ଛଅ ଘଣ୍ଟାରେ ଭଦ୍ରକରୁ ନୟାଗଡ କିମ୍ବା ନୟାଗଡରୁ-ଭଦ୍ରକ ପର୍ଯ୍ୟନ୍ତ ଲୋକେ ମେମୁ ଟ୍ରେନ୍ରେ ଯାତ୍ରା କରି ପହଞ୍ôଚ ପାରିବେ ବୋଲି ରେଳମନ୍ତ୍ରୀ କହିଛନ୍ତି । କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ଭାବରେ ନିର୍ମାଣ କରିବାକୁ ଯୋଜନା କରାଯାଇଅଛି ଏବଂ ଏଥିପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ଚଳିତ ବର୍ଷ ରେଳବାଇ ରାଜ୍ୟରେ ୪୦୦ କିଲୋମିଟର ରେଳ ଲାଇନ ନିର୍ମାଣ କରିଛି ଯାହା ଏକ ରେକର୍ଡ । ଏହାପୂର୍ବରୁ, ୨୦୦୯-୧୪ ମସିହାରେ, କେବଳ ୫୦ କିଲୋମିଟର ରେଳପଥ ରାଜ୍ୟରେ ନିର୍ମାଣ କରାଯାଉଥିଲା । ଏବେ ୧୦ ହଜାର କୋଟି ଟଙ୍କା ରେଳବାଇ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଛନ୍ତି । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଓଡିଶାରେ ବର୍ଷକୁ ୫୦ କିଲୋମିଟର ରେଳ ଲାଇନ ତିଆରି ହେଉଥିଲା । ୨୦୨୨-୨୩ ବର୍ଷରେ ଓଡିଶାରେ ୪୫୦ କିଲୋମିଟର ରେଳ ଲାଇନ ତିଆରି ହୋଇଛି । ଯାହା ୭୫ ବର୍ଷରେ ହୋଇ ନ ଥିଲା ତାହା ଗୋଟିଏ ବର୍ଷରେ ହୋଇଛି । ଓଡିଶାର ୫୭ଟି ଷ୍ଟେସନର ନବୀକରଣ କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ମେମୁ ଟ୍ରେନ ଭଦ୍ରକରୁ ସକାଳ ୫ ଟା ୪୫ ମିନିଟରେ ଛାଡି ପୂର୍ବାହ୍ନ ୧୧ଟା ୪୫ ମିନିଟରେ ନୟାଗଡ଼ ଟାଉନରେ ପହଞ୍ଚିବ । ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ ମିନିଟରେ ଛାଡି ଭଦ୍ରକଠାରେ ରାତ୍ରି ୧୦ ଟା ୪୫ ମିନିଟ୍ରେର ପହଞ୍ଚିବ । ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ଗୁଡ଼ିକରେ ରହଣି କରିବ । ଆଜିର ଶୁଭାରମ୍ଭ ଦିବସରେ ମେମୁ ଟ୍ରେନ୍ କଟକ ଷ୍ଟେସନରୁ ଯାତ୍ରା ଶୁଭାରମ୍ଭ କରିଥିବାବେଳେ ଏହାର ନିୟମିତ ସେବା ଆସନ୍ତାକାଲି ଠାରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ । ଏହି ଉତ୍ସବରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ସମେତ ରେଳବାଇର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।