କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି

କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି

କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ । କେବଳ କଟକ ସହର କାହିଁକି ସହର ଉପକଣ୍ଠରେ ମଧ୍ୟ ବ୍ୟାପକ ଅପମିଶ୍ରିତ ତଥା ନକଲି ସାମଗ୍ରୀ ପ୍ରସ୍ତୁତ ଚାଲିଛି । କିଛି ବର୍ଷ ଧରି କଟକ ସହର ନକଲି ସାମଗ୍ରୀ ପ୍ରସ୍ତୁତକାରୀ ପାଇଁ ଭୂସ୍ୱର୍ଗ ପାଲଟି ଯାଇଛି । ତେବେ ଏଭଳି ଅପମିଶ୍ରିତ ସାମଗ୍ରୀକୁ ରୋକିବା ନିମନ୍ତେ ଖାଦ୍ୟ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମସି ଯେତେ ଚଢ଼ାଉ କଲେ ମଧ୍ୟ ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥାକୁ ଧରୁଛି; ହେଲେ ସମ୍ପୂର୍ଣ୍ଣ ରୋକିବାରେ ବିଫଳ ହୋଇଥିବା ଜଣାପଡ଼ିଛି । ପ୍ରଶାସନ ଆଖିରେ ଧୁଳି ଦେଇ ବିଭିନ୍ନ ଉପାୟରେ କିଛି ଅସାଧୁ ବ୍ୟକ୍ତିମାନେ ଏସବୁ ଚଳାଉଥିବାବେଳେ ଏ ନେଇ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନିକଟ ଅତୀତରେ ସସ୍ ଠାରୁ ଆରମ୍ଭ କରି ବିଭିନ୍ନ ମସଲା ପର୍ଯ୍ୟନ୍ତ ନକଲି ସାମଗ୍ରୀ ପ୍ରସ୍ତୁତ ଚାଲିଥିବା ଧରାପଡ଼ିବା ପରେ ସେ ସବୁ ସଂସ୍ଥାକୁ ସିଲ କରାଯାଇଛି । ତଥାପି ଏହି ଅସାଧୁ ବ୍ୟବସାୟୀ ନିର୍ବିଗ୍ନରେ ଏସବୁ ଚଳାଉଥିବା ଜଣାପଡ଼ିଛି । କିଛି ଲାଭ ପାଇବା ଲୋଭରେ ଜନସାଧାରଣଙ୍କୁ ବିଷ ବିକୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ । ତେବେ ଆଜି କଟକ ମାଲଗୋଦାମର ଗୁଡ୍‌ସ ଶେଡରେ ସୂଚନା ପାଇ କଟକ ମହାନଗର ନିଗମ (ସିଏମସି) ଏନଫୋର୍ସମେଣ୍ଟ ଟିମ୍ ଅଚାନକ ଚଢ଼ାଉ କରିଥିଲା । ତେବେ ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ ହୋଇଛି । ଜବତ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡର ପରିମାଣ ୫ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ବି. ପାଣ୍ଡବ ନାମକ ଜଣେ ବ୍ୟକ୍ତି ଏହି କଳା କାରବାର ଚଳାଇଥିବା ଜଣାପଡ଼ିଥିଲା । ସେ ବେଆଇନ ଭାବେ ଏସବୁ ଚଳାଇଥିବା ଯୋଗୁଁ ତାଙ୍କ ଗୋଦାମକୁ ସିଏମସି ଏନଫୋର୍ସମେଣ୍ଟ ଟିମ ସିଲ କରିବା ସହ ତାଙ୍କ ଓଜନ କଣ୍ଟା ଓ ଏ ସବୁ ନକଲି ତଥା ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ଯନ୍ତ୍ରାଂଶ ଗୁଡ଼ିକୁ ମଧ୍ୟ ଜବତ କରାଯାଇଛି । ତେବେ ତାଙ୍କ ନାମରେ ସିଏମସି ପକ୍ଷରୁ ଏତଲା ଦିଆଯିବ ବୋଲି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ କୁହାଯାଉଛି । ଅନ୍ୟପକ୍ଷରେ ଏସବୁ କଳା ବ୍ୟବସାୟୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସହରବାସୀ ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ