ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’
ଭୁବନେଶ୍ୱର(ଏନ୍.ଏମ୍.): ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା । ଔଷଧ ଖାଇବା ପାଇଁ ମନେପକାଇ ଦେବ ସ୍ୱତନ୍ତ୍ର ଆପ । ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ’ । ଯେ କୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ । ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ ରାୟ । ଏ କ୍ଷେତ୍ରରେ ତାଙ୍କୁ ବୈଷୟିକ ସହାୟତା କରିଛନ୍ତି କିଡ଼ସ ଚିକିତ୍ସାଳୟ ତଥା କାନୁନଗୋ ଡାଇବେଟିସ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଡାକ୍ତର ଆଲୋକ କାନୁନଗୋ । ବିଶେଷକରି ଏହି ଆପ ବରିଷ୍ଠ ନାଗରିକଙ୍କ ନିମନ୍ତେ ବହୁତ ସହାୟକ ହେବ । ବ୍ୟସ୍ତବହୁଳ ଜୀବନ ଏବଂ ଯେଉଁମାନେ କାର୍ଯ୍ୟବ୍ୟସ୍ତତା ପାଇଁ ଅନେକ ଔଷଧ ଖାଇବା ନିମନ୍ତେ ଭୁଲି ଯାଆନ୍ତି । ସେହିପରି ଅନେକ ଜଟିଳ ରୋଗ ଯୋଗୁଁ କେଉଁ ଔଷଧ କେଉଁ ସମୟରେ ଖାଇବେ ତାହାକୁ ମଧ୍ୟ ମନେରଖି ପାରନ୍ତି ନାହିଁ ; ଏହି କ୍ଷେତ୍ରରେ ଏହି ଆପ ସହାୟକ ହେବ । ଏହି ନିମାଇ ଆପ ‘ଆଇଓଏସ’ ଏବଂ ପ୍ଲେଷ୍ଟୋରରେ ଉପଲବ୍ଧ ରହିଛି ଏବଂ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ପ୍ରାଥମିକ ପର୍ଯ୍ୟାୟରେ ଏହି ଏହି ଆପ ଇଂରାଜୀରେ ଥିବାବେଳେ ଖୁବଶୀଘ୍ର ଓଡ଼ିଆରେ ଉପଲବ୍ଧ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଚିକିତ୍ସା କ୍ଷେତ୍ରରେ ପ୍ରୋତ୍ସାହନ କରୁଥିବା ତଥା ମୁଖ୍ୟ ପ୍ରଶିକ୍ଷକ ଓ ଗୁରୁତର ରୋଗୀଙ୍କୁ ସାହାଯ୍ୟ କରୁଥିବା ପ୍ରଫେସର ଡାକ୍ତର ନିମାନନ୍ଦ ରାୟଙ୍କୁ ଉତ୍ସର୍ଗୀକୃତ କରାଯାଇଛି ବୋଲି ଡାକ୍ତର କାନୁନଗୋ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ନିମାଇ ଆପ୍ ଲୋକାର୍ପିତ ଉତ୍ସବରେ ଡକ୍ଟର ସୁକନ୍ୟା ରାୟ, ଡକ୍ଟର ମିହିର କୁମାର ସେନାପତି ଉପସ୍ଥିତ ରହି ଆପ ଲୋକମାନଙ୍କ ହିତରେ ଆସିବ ବୋଲି ମତବ୍ୟକ୍ତ କରିଥିଲେ ।