ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ

ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ

ଓଡ଼ିଶାରେ ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କିତ ରାଜ୍ୟବାସୀ
ଲାଗିପାରେ କଠୋର କଟକଣା


ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଓଡ଼ିଶାରେ ପ୍ରଥମ କରି ୨ଜଣ ଲୋକଙ୍କ ଠାରେ ଓମିକ୍ରମ ଭୂତାଣୁ ଚିହ୍ନଟ ହୋଇଛନ୍ତି । ସେମାନେ ବିଦେଶରୁ ଫେରିଥିବା ବେଳେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ୨ଜଣଙ୍କ ଜିନୋମ୍ ସିକ୍ୱେନ୍ସିଂରୁ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ୨ଜଣଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଫେରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ଜଗତସିଂହ ପୁର ଏରସମା ଅଞ୍ଚଳର ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି । ସେହିପରି ଆଉ ଜଣେ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ଆଇଏଲସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉଭୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲା ପରେ ସରକାର ତଥା ପ୍ରଶାସନର ମୁଣ୍ଡ ବିନ୍ଧା ବୃଦ୍ଧି ପାଇବା ସହ ତତ୍ପରତା ପ୍ରକାଶ ପାଇଛି । ଏ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଛି । ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ସମଗ୍ର ଦେଶରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏପରିକି ଓମିକ୍ରନ୍ ଆକ୍ରାନ୍ତ ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର୍ ଟେଷ୍ଟକୁ ବାଧ୍ୟତା ମୂଳକ କରାଯାଇଥିଲା । ସେମାନଙ୍କ ସବିଶେଷ ଡାଟା ରାଜ୍ୟ ସରକାର ରଖିବା ସହ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା । ଏହା ସତ୍ତ୍ୱେ ରାଜ୍ୟରେ ୨ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ତେବେ ୨ଜଣ ଚିହ୍ନଟ ହେବା ପରେ ରାଜ୍ୟରେ କଟକଣାକୁ ଅଧିକ କଡ଼ାକଡ଼ି କରାଯିବାର ସମ୍ଭାବନା ରହିଛି । ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଏହାକୁ ମୁକାବିଲା କରିବା ନିମନ୍ତେ ଦୃଢ଼ ପଦକ୍ଷେପ ନିଆଯିବା ଉପରେ ଆଲୋଚନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ସମ୍ପ୍ରତି ଦେଶରେ କ୍ରମାଗତ ଭାବେ ଓମିକ୍ରନ ଜନିତ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଯାଏଁ ଏହା ୯୦ ଦେଶକୁ ବ୍ୟାପିସାରିଲାଣି । ଏହି ଦୁଇ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୭୦ରୁ ଅଧିକ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇ ସାରିଥିବା ସୂଚନା ରହିଛି । ଏମାନଙ୍କ ମଧ୍ୟରୁ ୮୦ପ୍ରତିଶତ ଲୋକ ଲକ୍ଷଣ ବିହୀନ ରହିଛନ୍ତି । ମାତ୍ର ଏ ସମସ୍ତ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ କେହି ବି ଗୁରୁତର ହୋଇ ନଥିବା ଆଶ୍ୱସ୍ତିକର ବିଷୟ ବୋଲି କୁହାଯାଇଛି । ତେବେ କଟକଣାକୁ କଡ଼ାକଡ଼ି କରାନଗଲେ ଏହା ହୁ ହୁ ହୋଇ ବ୍ୟାପିବାର ସମ୍ଭାବନା ରହିଛି । ସମସ୍ତଙ୍କ ଶରୀରରେ କେବଳ ସ୍ୱଳ୍ପ ମାତ୍ରାରେ ଲକ୍ଷଣ ଦେଖା ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୭୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, ଗୁଜରାଟରେ ୧୩, କେରଳରେ ୧୧, କର୍ଣ୍ଣାଟକରେ ୮, ଉତ୍ତର ପ୍ରଦେଶରେ ୨, ତାମିଲନାଡୁ, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ୬୦ ହଜାରରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏହା ମଧ୍ୟରେ କେବଳ ବ୍ରିଟେନରୁ ୫୦ପ୍ରତିଶତ ଅଧିକ ଲୋକ ରହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ