ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ୧୫୩ଜଣ କୃତକାର୍ଯ୍ୟ
ଶ୍ରେଷ୍ଠ ୧୦ ମଧ୍ୟରେ ୩ ମହିଳା
#କଟକ(ଏନ୍.ଏମ୍.): ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ଜଣ ମହିଳା ପ୍ରାର୍ଥୀ ଥିବାବେଳେ ୭ଜଣ ପୁରୁଷ ରହିଛନ୍ତି । ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଙ୍କୁଲ ଅଭିଳାଷ, ତୃତୀୟରେ ରଶ୍ମିରେଖା ପାତ୍ର, ଚତୁର୍ଥରେ ସୌମ୍ୟରଞ୍ଜନ ପ୍ରଧାନ, ପଞ୍ଚମରେ ସିଦ୍ଧେଶ୍ୱର ନାୟକ, ଷଷ୍ଠରେ କିରଣ କୁମାର ମହାନ୍ତି, ସପ୍ତମରେ ପ୍ରଦୋଷ ପ୍ରଧାନ, ଅଷ୍ଟମରେ ଦେବଦତ୍ତ ପ୍ରଧାନ, ନବମରେ ଆୟୁଷି ପାତ୍ର ଏବଂ ଦଶମ ସ୍ଥାନରେ ନିବେଦିତା ନାୟକ ରହିଛନ୍ତି । ରାଜ୍ୟରେ ଅନୁସୂଚିତଜାତି ବର୍ଗରେ ଏକମାତ୍ର ମହିଳା ଭାବେ ରଶ୍ମିରେଖା ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ରହିଛନ୍ତି । ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ପରୀକ୍ଷାରେ ରାଜ୍ୟରେ ମୋଟ ୧୫୩ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୬ଜଣ ମହିଳା ଥିବାବେଳେ ୯୭ଜଣ ପୁରୁଷ ରହିଛନ୍ତି । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ୩୦ଜଣ, ଓଡିଶା ଫରେଷ୍ଟ ସର୍ଭିସ(ଓଏଫଏସ)ରେ ୯ଜଣ, ଓଡିଶା ପୁଲିସ ସେବା(ଓପିଏସ)ରେ ୭ଜଣ, ଓସିଏସରେ ୫ଜଣ, ଓଆରଏସରେ ୮୨ଜଣ, ଓଟି ଏବଂ ଏଏସରେ ୨୦ଜଣ ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି । ରାଜ୍ୟରେ ପ୍ରାୟ ୪୭ ହଜାର ୭୧୯ଜଣ ପ୍ରାର୍ଥୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ପ୍ରାୟ ୨୫ ହଜାର ୭୮୦ଜଣ ପ୍ରାର୍ଥୀ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୮୮୦ଜଣ ଲିଖିତ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ୨୦୨୦ ମସିହା ଡିସେମ୍ବର ମାସରେ ହୋଇଥିବା ଏହି ଲିଖିତ ପରୀକ୍ଷାରେ ୧୬୧୦ଜଣ ଯୋଗଦେଇଥିଲେ । ଏହି ଲିଖିତ ପରୀକ୍ଷାରେ ୩୦୭ଜଣ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କୁ ସାକ୍ଷାତକାର ଲାଗି କଟକସ୍ଥିତ ଓପିଏସସି କାର୍ଯ୍ୟାଳୟକୁ ଡକାଯାଇଥିଲା । ଚଳିତ ସେପ୍ଟେମ୍ବର ୨୨ ତାରିଖରୁ ଅକ୍ଟୋବର ୫ତାରିଖ ମଧ୍ୟରେ ୯ଦିନ ଧରି ପ୍ରାର୍ଥୀମନଙ୍କର ସାକ୍ଷାତକାର ହୋଇଥିବା ବେଳେ ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି ।