ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି ଦାୟିତ୍ୱ ନୂଆ ନୁହେଁ । ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି । କଲେଜରେ ପଢ଼ିବା ସମୟରେ ରାଜନୀତିକୁ ଆସିଥିଲେ ମନମୋହନ । ୧୯୭୯ ମସିହାରେ ସେ ଭଦ୍ରକ କଲେଜ ଛାତ୍ର ସଂଘ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ମଧ୍ୟ ସଦସ୍ୟ ଥିଲେ । ବିଜେପିର ସକ୍ରିୟ ସଦସ୍ୟ ଭାବେ ସେ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ୨୦୦୪ରେ ସେ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ରାଜସ୍ୱ ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ । ଗତ ଧାମନଗର ଉପ-ନିର୍ବାଚନରେ ଦଳର ବିଜୟରେ ଶ୍ରୀ ସାମଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଥିବା ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି । ତେବେ ନୂଆ ଦାୟିତ୍ୱ ମିଳିବା ପରେ ଶ୍ରୀ ସାମଲ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ ଓ ଅତ୍ୟାଚାର କରୁଛନ୍ତି । ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ବିଜେପି ଲଢ଼େଇ କରିବ । ଓଡ଼ିଶାରେ ଦୁର୍ନୀତିଗ୍ରସ୍ତଙ୍କ ଶାସନ ଚାଲିଛି, ତାକୁ ୨୦୨୪ରେ ପରିବର୍ତ୍ତନ କରାଯିବ । ଓଡ଼ିଶାରେ ଗାଁ ଗାଁରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ରହିଛି । ଲୋକଙ୍କ ଅସନ୍ତୋଷର ବିସ୍ଫୋରଣରେ ସରକାର ଶେଷ ହୋଇଯିବ । ଲୋକେ ବିକଳ୍ପକୁ ଅପେକ୍ଷା କରିଛନ୍ତି । ଆମେ ସେହି ବିକଳ୍ପ ଦେବୁ । ଯେତେବେଳେ ନିର୍ବାଚନ ହେବ, ଏ ସରକାର ଶେଷ ହୋଇଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ କହିବାନୁଯାୟୀ, ମନମୋହନ ସାମଲ ଜଣେ ତୃଣମୂଳ ସ୍ତରର ନେତା । ତାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ନିମନ୍ତେ ଦଳକୁ ମଜବୁତ କରାଯିବ । ସୁନୀଲ ବଂଶଲ ପ୍ରଭାରୀ ଦାୟିତ୍ୱ ନେବା ପରେ ଦଳର ନବକଳେବର କରାଯାଉଛି । ସରକାର ଗଠନ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ । ବିଜେଡି ପଛୁଆ ବର୍ଗର କାର୍ଡ ଖେଳିବାକୁ ଚେଷ୍ଟା ଚଳାଇଥିବା ବେଳେ ମନମୋହନ ସାମଲ ଜଣେ ପଛୁଆ ବର୍ଗର ନେତା । ସେ ଭଲ ଭାବେ ଦାୟିତ୍ୱ ନିର୍ବାହ କରି ପାରିବେ । ମନମୋହନଙ୍କ ନେତୃତ୍ୱରେ ଦଳ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ଓ ବିଜୟ ହାସଲ କରିବ ବୋଲି ଆଶା ରଖିଛୁ । ଅନ୍ୟପକ୍ଷରେ ଆସନ୍ତା ମାସରେ ଅମିତ ଶାହ ଭଦ୍ରକ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଭଦ୍ରକର ନେତା ଶ୍ରୀ ସାମଲଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ବିଜେପି କର୍ମକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି । ମନମୋହନ ରାଜ୍ୟ ବିଜେପିର ମଙ୍ଗ ଧରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ