ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ
#କଟକ (ଏନ୍.ଏମ୍.): ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ ଦେଶ, ସମାଜ ତଥା ସାଧାରଣ ଲୋକଙ୍କ ପାଇଁ ସାଧୁତା ଓ ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଡିଜିପି ଶ୍ରୀ ବଂସଲ କହିଥିଲେ ଯେ, ସାରା ଭାରତରେ ମାଓ ଦମନ ଅଭିଯାନରେ ଓଡିଶା ପୁଲିସର ସ୍ୱତନ୍ତ୍ର ସୁନାମ ରହିଛି । ଆଗାମୀ ଦିନରେ ମାଓ ଦମନ ଅଭିଯାନରେ ଏହି କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଡିଜିପି ଶ୍ରୀ ବଂସଲ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି । ମାଓଦମନ ଅଭିଯାନରେ ଓଡିଶା ପୁଲିସକୁ ଆହୁରି ବହୁତ ରାସ୍ତା ଯିବାକୁ ବାକି ରହିଛି । ଦାୟିତ୍ୱ ଏବଂ ବଳିଷ୍ଠ ନେତୃତ୍ୱ ନେଇ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବାପାଇଁ ଡିଜିପି ଶ୍ରୀ ବଂସଲ ଆହ୍ୱାନ ଦେଇଥିଲେ । ଦୁର୍ଗମ ଅଞ୍ଚଳରେ ମାଓ ଦମନ ଅଭିଯାନ ସମୟରେ ସ୍ଥାନୀୟ ବାସୀନ୍ଦାଙ୍କ ପ୍ରତି ଯତ୍ନବାନ ହେବାକୁ ମଧ୍ୟ ଡିଜିପି ପରାମର୍ଶ ଦେଇଥିଲେ । ସାରା ଦେଶରେ ଓଡିଶା ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ ସର୍ବଶ୍ରେଷ୍ଠ ମାଓ ବିରୋଧୀ ବାହିନୀ । ସାହସ, ନେତୃତ୍ୱ ଏବଂ ଦକ୍ଷତା ପ୍ରତିପାଦନ କରିବାରେ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ ବୋଲି ଡିଜିପି କହିଥିଲେ ।
ଏକ ନୂତନ ଆଶା, ଉତ୍ସାହ ଏବଂ ଉଦ୍ଦୀପନାର ସହ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇ ଓଡିଶା ପୁଲିସ ପାଇଁ ସୁନାମ ଆଣିବାକୁ ଡିଜିପି ପରାମର୍ଶ ଦେଇଥିଲେ । ଏକାଡେମୀରେ ପ୍ରଦାନ କରାଯାଇଥିବା ତାଲିମ ଆଗାମୀ ଦିନରେ ନବନିଯୁକ୍ତ କ୍ୟାଡେଟ ସବ୍ ଇନ୍ସପେକ୍ଟର (ସଶସ୍ତ୍ର)ଙ୍କୁ ଆହୁରି ଦାୟିତ୍ୱବାନ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ଡିଜିପି ଓଡିଶା ପୁଲିସରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ୪୫୦୦ କନେଷ୍ଟବଳଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବାବେଳେ ସେମାନଙ୍କୁ ଏବେ ତାଲିମ ପ୍ରଦାନ କରାଯାଉଛି । ସେହିପରି ୪୭୦ ସବ୍-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ଏବଂ ଖୁବ ଶୀଘ୍ର ଏହି ପ୍ରକ୍ରିୟାକୁ ସମାପ୍ତ କରାଯିବ ବୋଲି ଡିଜିପି ନିଜ ଅଭିଭାଷଣରେ କହିଛନ୍ତି । ଏହି ଦୀକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ଆଇଜିପି ସାଇନି ଏସ.ଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ପଦଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା । ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସଂକଲ୍ପ ରାଜ ଶ୍ରେଷ୍ଠ, ଦିଲ୍ଲୀପ କୁମାର ବେହେରା, ଜିତେନ୍ଦ୍ରିୟ ସିଂ, ସୁଶାନ୍ତ କୁମାର ବାରିକ, ପ୍ରୀତମ କୁମାର ପ୍ରତିହାରୀଙ୍କୁ ଡିଜିପି ପୁରସ୍କାର ଓ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଇନ୍ସପେକ୍ଟର କାବେରୀ ପ୍ରଧାନ, ଏଏସଆଇ ବାବୁଲା ସାମଲ, ହାବିଲଦାର ପଦ୍ମଚରଣ ଜେନାମଣି, ଇନ୍ସପେକ୍ଟର (ସଶସ୍ତ୍ର) ସୁଜିତ ମିଶ୍ର, ଏସଆଇ (ସଶସ୍ତ୍ର) ଅନ୍ତର୍ଯାମୀ ସାହୁ ଏବଂ କନେଷ୍ଟବଳ ଦୂର୍ଗାପ୍ରସାଦ ନନ୍ଦଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରେନିଂ ମେଡାଲ (୨୦୨୦-୨୧) ଡିଜିପି ଶ୍ରୀ ବଂସଲ ପ୍ରଦାନ କରିଥିଲେ ।