ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର

#କଟକ(ଏନ୍.ଏମ୍.): ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ମାନ୍ୟତା ମିଳିବା ପରେ ମଧ୍ୟ ଅଣଦେଖା କରାଯାଉଛି । ବିଶେଷ କରି ଓଡ଼ିଆ ଭାଷାକୁ କଦର୍ଥ କରାଯିବା ପ୍ରତିବାଦରେ ଆଜି ସିଏମସି କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ବୁଦ୍ଧିଜୀବୀ ମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ରାଜ୍ୟ ସଂସ୍କୃତି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ସରକାର ବିଭିନ୍ନ ନିୟମ ପ୍ରଣୟନ କରୁଥିବାବେଳେ ବାସ୍ତବିକ ଚିତ୍ର କିନ୍ତୁ ଭିନ୍ନ ରହିଛି । ଭାଷା ଆଇନ ବିଧେୟକ ଆଣି ରାଜ୍ୟର ସରକାରୀ ବେସରକାରୀ କାର୍ଯ୍ୟରେ ଓଡ଼ିଆ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବା ସହିତ ବ୍ୟବସାୟିକ ପ୍ରତିଷ୍ଠାନମାନେ ନିଜ ବୋର୍ଡରେ ଓଡ଼ିଆ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏହାର କାର୍ଯ୍ୟକାରିତାକୁ ଦେଖିଲେ ସରକାରଙ୍କର ସତେ ଯେମିତି ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ନଥିବା ଜଣାପଡ଼ୁଛି ବୋଲି ଅଭିଯୋଗ ହୋଇଛି । ମାତୃଭାଷା ଓଡ଼ିଆକୁ ହତାଦର କରାଯିବାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସୁଛି । ବିଜ୍ଞାପନ ପାଇଁ ବିଭିନ୍ନ କମ୍ପାନୀର ଲାଗୁଥିବା ହୋର୍ଡିଂରେ ଓଡ଼ିଆ ଭାଷାକୁ ଗୁରୁତର ଭାବେ କଦର୍ଥ କରି ଲେଖା ଯିବା ଓଡ଼ିଆ ମାନଙ୍କ ମନରେ ଗଭୀର ଆଘାତ ଦେଇଛି । କିଛିଦିନ ତଳେ ଏକ ଭେସଲିନ କମ୍ପାନୀର ହୋର୍ଡିଂରେ ଏପରି ବିଚ୍ୟୁତି ଦେଖା ଯାଇଥିଲା ଯାହାକୁ ବିରୋଧ କରାଯାଇ ଚିରା ଯାଇଥିଲା । ତେଣୁ ରାଜରାସ୍ତାରେ ମାତୃଭାଷାକୁ ବିକୃତ କରି ଲେଖିବା ଅସହଣୀୟ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ତେବେ ରାଜ୍ୟସରକାର ଓଡ଼ିଆ ଭାଷା ପ୍ରତି ଯତ୍ନବାନ ଦେବାକୁ ଦାବି କରାଯାଇଛି । ତେବେ ପ୍ରତିନିଧିମଣ୍ଡଳୀଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରିବା ପରେ ସଂସ୍କୃତି ଅଧିକାରୀ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବୁଲୁ ବାବୁ, ଅବିନାଶ ଓଝା, ପବନ ଓଝା, ଯତୀନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।