ଓଏସଏସସିରେ ଲାଗିଲା କଳାଦାଗ: ବିରଞ୍ଚିଙ୍କ ବହିଷ୍କାର ପରେ ଏବେ ନିର୍ମଳଙ୍କ ଉପରେ ଭିଜିଲାନ୍ସର ନଜର

ଓଏସଏସସିରେ ଲାଗିଲା କଳାଦାଗ: ବିରଞ୍ଚିଙ୍କ ବହିଷ୍କାର ପରେ ଏବେ ନିର୍ମଳଙ୍କ ଉପରେ ଭିଜିଲାନ୍ସର ନଜର

ଓଏସଏସସିରେ ଲାଗିଲା କଳାଦାଗ: ବିରଞ୍ଚିଙ୍କ ବହିଷ୍କାର ପରେ ଏବେ ନିର୍ମଳଙ୍କ ଉପରେ ଭିଜିଲାନ୍ସର ନଜର


ଭୁବନେଶ୍ୱର(ଏନ୍‍.ଏମ୍‍.): ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ(ଓଏସଏସସି)ଙ୍କ ବ୍ୟକ୍ତିଗତ ସଚିବ(ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କ ଠାରୁ କୋଟିକୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ ହେବା ପରେ ବିଭାଗରେ ବ୍ୟାପକ ଅନିୟମିତତା ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ସମ୍ପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କ ଉପରେ ମଧ୍ୟ ଭିଜିଲାନ୍ସ ବିଭାଗର ତୀକ୍ଷ୍ନ ନଜର ରହିଛି । ତେବେ ଏହି ବିଭାଗର ମୁଖ୍ୟଙ୍କ ଉପରେ ଭିଜିଲାନ୍ସର ସନ୍ଦେହ କେନ୍ଦ୍ରୀଭୂତ ହୋଇଥିବା ଆଲୋଚନା ହେଉଛି । ବେଆଇନ ଭାବେ ସମ୍ପତି ଠୁଳ କରିବା ଅଭିଯୋଗରେ ରାଜ୍ୟ ସରକାର ଆଜି ଚାକିରୀରୁ ବାଧ୍ୟତାମୂଳକ ଅବସର ଦେବା ପରେ ଏବେ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଉପରେ ଭିଜିଲାନ୍ସର ନଜର ରହିଛି । ତାଙ୍କ ଅଫିସରେ କାର୍ଯ୍ୟରତ ପିଏସ୍ ଶ୍ରୀ ସାହୁ ଏତେ ପରିମାଣର ଅର୍ଥ ଠୁଳ କରିବା ଓ ଏନେଇ ଶ୍ରୀ ମିଶ୍ର ଦୀର୍ଘ ୨ବର୍ଷ ମଧ୍ୟରେ କିଛି ବି ଟେର ନପାଇବାର ଯୁକ୍ତିକୁ ଭିଜିଲାନ୍ସ ଗ୍ରହଣ କରିବାକୁ ନାରାଜ । ତେବେ ଶ୍ରୀ ସାହୁ ବେଆଇନ ଭାବେ ଅର୍ଥ ସଂଗ୍ରହ କରୁଥିବା ସମ୍ପର୍କରେ କାର୍ଯ୍ୟାଳୟ ଜାଣିଥିବା କୁହାଯାଉଛି । ତେଣୁ ରାଜ୍ୟ ସରକାର ମଧ୍ୟ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଏହି ପଦବୀରୁ ହଟାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସୂଚନାନୁଯାୟୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ସରକାରଙ୍କ ଆସ୍ଥାଭାଜନ ହୋଇଥିବା ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ମିଶ୍ରଙ୍କୁ ପୁରସ୍କାର ସ୍ୱରୂପ ୨୦୧୯ ସେପ୍େଟମ୍ବର ମାସରେ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା । ସେ ଦାୟିତ୍ୱ ନେବାପରେ ୨୦୨୦ମସିହା ସେପ୍ଟେମ୍ବ ମାସରୁ ୨୦୨୧ ମସିହା ଜୁଲାଇ ମାସ ମଧ୍ୟରେ ପ୍ରାୟ ୪୫ଟି ପ୍ରତିଯୋଗିତା ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଶ୍ରୀ ମିଶ୍ର କମିଶନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ସହଯୋଗ ପାଇଁ ୫ଜଣ ଓଏଏସ୍ ଓ ଜଣେ ଓଏଫଏସ୍ ଅଧିକାରୀ ମଧ୍ୟ ନିୟୋଜିତ ଅଛନ୍ତି । ମାତ୍ର ଏସବୁ ସତ୍ତ୍ୱେ ବ୍ୟକ୍ତିଗତ ସଚିବ(ପିଏସ) ବିରଞ୍ôଚ ନାରାୟଣ ସାହୁ ଓ ଅନ୍ୟ ଜଣେ ଅଧିକାରୀଙ୍କ ଭୂମିକା ସର୍ବଦା ସନ୍ଦେହ ଘେରରେ ରହିଥିଲା । ବିଭିନ୍ନ ସମୟରେ ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ କମିଶନଙ୍କ କାର୍ଯ୍ୟାଳୟ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଷ୍ଟାଫ ସିଲେକ୍ସନ୍ ଦ୍ୱାରା ହେଉଥିବା ପରୀକ୍ଷାରେ କାହାରି ହସ୍ତକ୍ଷେପ ସମ୍ଭବପର ନୁହେଁ କିମ୍ବା କେହି ପରୀକ୍ଷା ଫଳକୁ ପ୍ରଭାବିତ କରିପାରିବେ ନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ଯୁକ୍ତି ଦର୍ଶାଉଥିବାବେଳେ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ସାହୁ ଏତେ ପରିମାଣର ଅର୍ଥ କେଉଁଠୁ ଆଣିଲେ, ସେ ସମ୍ପର୍କରେ ସେ ଯୁକ୍ତିଯୁକ୍ତ ଜବାବ ରଖିବାରେ ସକ୍ଷମ ହୋଇନାହାନ୍ତି; ଏଥି ସହିତ ଶ୍ରୀ ମିଶ୍ର ଗଣମାଧ୍ୟମର ପ୍ରଶ୍ନକୁ ମଧ୍ୟ ଏଡ଼ାଇ ଯାଇଛନ୍ତି । ତେବେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ସାହୁଙ୍କୁ ଜେରା କରିବା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେମାନଙ୍କ ଦୃଷ୍ଟିକୁ ଆସିଛି । ଶ୍ରୀ ସାହୁଙ୍କ ଠାରୁ ଜବତ ହୋଇଥିବା ସମ୍ପତ୍ତି ହିଁ ପରୋକ୍ଷରେ କମିଶନଙ୍କ କାର୍ଯ୍ୟାଳୟର ଜାଣତରେ ସେ କୋଟିକୋଟି ଟଙ୍କା ବେଆଇନ ଭାବେ ଉପାର୍ଜନ କରୁଥିବା ସ୍ପଷ୍ଟ ହୋଇଛି । କମିଶନଙ୍କ କାର୍ଯ୍ୟାଳୟରେ ସମସ୍ତେ ସବୁକିଛି ଜାଣୁଥିଲେ ମଧ୍ୟ ଚୁପ୍ ରହୁଥିଲେ । ଏତେ ଦିନ ଧରି ଶ୍ରୀ ସାହୁ ଖୋଲାଖୋଲି ଭାବେ ଅର୍ଥ ଆଦାୟରେ ଲିପ୍ତ ଥିଲେ ମଧ୍ୟ କାହିଁକି ତାଙ୍କ ବିରୁଦ୍ଧରେ ଉପରିସ୍ତ ଅଧିକାରୀମାନେ ଅଭିଯୋଗ କରିନଥିଲେ ତାହା ଭିଜିଲାନ୍ସକୁ ଏବେ ଚକିତ କରିଛି । ଅନ୍ୟପକ୍ଷରେ କମିଶନଙ୍କ ଦ୍ୱାରା ପ୍ରକାଶିତ ପରୀକ୍ଷା ଫଳର ସ୍ୱଚ୍ଛତା ଓ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଉପରେ ଚାକିରି ଆଶାୟୀମାନେ ଏବେ କଡ଼ା ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଖୋଲାଖୋଲି ଭାବେ ସେମାନଙ୍କୁ ଲାଞ୍ଚ ମଗାଯାଇଥିବା ନେଇ ଅଭିଯୋଗ ଉଠାଇଛନ୍ତି । ଏହାଦ୍ୱାରା ଷ୍ଟାଫ ସିଲେକ୍ସନ କମିଶନଙ୍କ ବିଶ୍ୱସନୀୟତା ଉପରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା ‘ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ’ ସ୍ୱଚ୍ଚତା ଉପରେ କଳାଦାଗ ଲାଗିଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି