ଏସସିବି ମେଡିକାଲ ଗାଡି ଚୋରି ଘଟଣାର ଖୋଲିଲା ଗୁମର, ରହିଥିଲା ସିକ୍ୟୁରିଟି ଗାର୍ଡ଼ର ହାତ

ଏସସିବି ମେଡିକାଲ ଗାଡି ଚୋରି ଘଟଣାର ଖୋଲିଲା ଗୁମର, ରହିଥିଲା ସିକ୍ୟୁରିଟି ଗାର୍ଡ଼ର ହାତ

ଏସସିବି ମେଡିକାଲ ଗାଡି ଚୋରି ଘଟଣାର ଖୋଲିଲା ଗୁମର, ରହିଥିଲା ସିକ୍ୟୁରିଟି ଗାର୍ଡ଼ର ହାତ

କଟକ(ଏନ୍‌.ଏମ୍‌.): ଏସସିବି ମେଡିକାଲ ପରିସରରେ ଗାଡି ଚୋରି ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି । ଏକ ଚୋରି ଗ୍ୟାଙ୍ଗର ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଧରିବାରେ ସଫଳ ହୋଇଛି । ଏପରିକି ଏହି ଚୋରି ଘଟଣା ପଛରେ ଜଣେ ସିକ୍ୟୁରିଟି ଗାର୍ଡ଼ର ହାତ ଥିବା ପୁଲିସ ଜାଣିବାକୁ ପାଇଛି । ଏମାନେ ହେଲେ ଭଦ୍ରକ ବଂଶଦା ଥାନା ଅଞ୍ଚଳର ଚଗୁଲୁ ଓରଫ ପ୍ରତାପ ସାମଲ(୨୭), ସଦର ଥାନା ଶ୍ରୀକୋରୁଆରେ ରହୁଥିବା କେନ୍ଦ୍ରାପଡା ପାଟକୁରାର ପିଣ୍ଟୁ ଓରଫ ସୌରଭ ସ୍ୱାଇଁ(୧୯) ଓ ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳର ବଗ୍ନିବଲ୍ଲଭ ଜେନା(୧୯) । ମୁଖ୍ୟ କଥା ହେଉଛି ଗ୍ୟାଙ୍ଗ ମୁଖିଆ ଚଗୁଲୁ ଏସସିବିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା । ତାରି ଇଙ୍ଗିତରେ ସବୁ କାରନାମା ହେଉଥିଲା । ବର୍ତ୍ତମାନ ସୁଦ୍ଧା ଏମାନଙ୍କ ଠାରୁ ୯ଟି ଚୋରି ବାଇକ ଉଦ୍ଧାର କରାଯାଇଛି ।
ବୁଧବାର ରାତି ପ୍ରାୟ ୧୧ଟା ହେବ । ୨ଟି ବାଇକରେ ୬ଜଣ ଯୁବକ ମେଡିକାଲ ପରିସରରେ ପଇଁତରା ମାରୁଥିବା ପୁଲିସ ନଜରରେ ପଡିଲା । ସନ୍ଦେହ ହେବାରୁ ପୋଲିସ ଟିମ ପିଛା କରି ସମସ୍ତଙ୍କୁ ଅଟକାଇଥିଲା । ଏହି ସମୟରେ କୌଶଳକ୍ରମେ ୩ ଜଣ ଖସିଯିବା ବେଳେ ଅଭିଯୁକ୍ତ ଚଗୁଲୁ, ପିଣ୍ଟୁ ଓ ବଗ୍ନିବଲ୍ଲଭ ଧରାପଡିଥିଲେ । ସେଠାରେ ଗାଡିର କାଗଜପତ୍ର ଯାଞ୍ଚ କରିବାରୁ ଉକ୍ତ ଦୁଇଟି ବାଇକ ଚୋରା ବୋଲି ଜଣାପଡିଥିଲା । ତେଣୁ ପୁଲିସ ଦୁଇଟି ଗାଡି ସହ ସଂପୃକ୍ତ ୩ ଜଣଙ୍କୁ ଧରିଆଣି ଜେରା କରିଥିଲା । ଏହାପରେ ମେଡିକାଲ ପରିସରରେ ନିୟମିତ ଗାଡି ଚୋରି ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଅଭିଯୁକ୍ତ ଚଗୁଲୁ ହେଉଛି ଏହି ଚୋରି ଗ୍ୟାଙ୍ଗର ମୁଖିଆ । ବିଗତ କିଛି ବର୍ଷ ହେଲା ସେ ଏକ ଘରୋଇ ସଂସ୍ଥା ଦ୍ୱାରା ସିକ୍ୟୁରିଟି ଗାର୍ଡ ଭାବେ ଏସସିବି ମେଡିକାଲରେ ନିୟୋଜିତ ଥିଲା । ସକ୍ୟୁରିଟି ଗାର୍ଡ ଥିବା ସମୟରେ ହିଁ ସେ ଚୋରି ଆରମ୍ଭ କରିଥିଲା । ଡିୁ୍ୟଟି ସମୟରେ ମେଡିକାଲକୁ ଆସୁଥିବା ରୋଗୀ ସମ୍ପର୍କୀୟଙ୍କ ଗାଡିକୁ ସେ ଚିହ୍ନଟ କରି ରଖୁଥିଲା । ଯେଉଁ ଗାଡିର ମାଲିକ ୱାର୍ଡରୁ ଫେରିବାରେ ବିଳମ୍ବ କରୁଥିଲେ ତାଙ୍କରି ଗାଡିକୁ ସେ ଚୋରାଇ ନେଉଥିଲା । ଆଖପାଖରେ ବୁଲୁଥିବା ଅନ୍ୟ ସହଯୋଗୀମାନେ ଆସି ତାଲା ଖୋଲି ଗାଡି ନେଇ ଯାଉଥିଲେ । ନିକଟରେ ସେମାନେ ରାଣୀହାଟ ଅଞ୍ଚଳରୁ ଏକ ଅଟୋ ଚୋରି କରିଥିବା ଜଣାପଡିଛି । ଗ୍ୟାଙ୍ଗରେ ପୁରୁଣା ତାଲା/ଚାବି ମରାମତି କାମ କରୁଥିବା ଅଭିଯୁକ୍ତ ପିଣ୍ଟୁ ଗାଡିର ତାଲା ଖୋଲୁଥିଲାବେଳେ ବଗ୍ନିବଲ୍ଲଭ ଚୋରା ଗାଡିର ନମ୍ବର ଓ ରଙ୍ଗ ବଦଳାଇ ବାହାରେ ବିକ୍ରି କରୁଥିଲା । ଏହି ଘଟଣାରେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଥିବା ଥାନା ଅଧିକାରୀ ଅମିତାଭ ମହାପାତ୍ର କହିଛନ୍ତି । ଉପରୋକ୍ତ ତିନି ଅଭିଯୁକ୍ତଙ୍କ ନାଁରେ ମଙ୍ଗଳାବାଗ, ସଦର ଥାନାରେ ୧୭ଟି ମାମଲା ରହିଛି । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ