ଏସସିବିରେ ବିରଳ ଅସ୍ତ୍ରୋପଚାର; ବାମ ପାଦର ତର୍ଜନୀ ଆଙ୍ଗୁଠି ହେଲା ଡାହାଣ ହାତର ବୁଢ଼ା ଅଙ୍ଗୁଳି
#କଟକ(ଏନ୍.ଏମ୍.): ଡାହାଣ ହାତ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲାଗିଲା ବାମ ପାଦର ଆଙ୍ଗୁଠି । ଏପରି ବିରଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲରେ ହୋଇଛି । ଏପରି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ଆଣି ଦେଇଛି । ପ୍ରକାଶ ଯେ, ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା । ଏହାପରେ ଉକ୍ତ କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ପ୍ରାୟ ୩ ମାସ ପୂର୍ବେ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଭର୍ତ୍ତି କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ନୀରିକ୍ଷା ପରେ ଅପରେସନ ପାଇଁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି । ଗତ ୧୦ ଦିନ ତଳେ ଏକ ୮ ଜଣିଆ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ । ସୀତାକାନ୍ତଙ୍କ ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି, ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ଡାହାଣ ହାତ ବୁଢା ଅଙ୍ଗୁଳିରେ ଯୋଡ଼ା ଯାଇଛି । ପ୍ରାୟ ୮ ଘଣ୍ଟା ଧରି ଏହି ଅପରେସନ ଚାଲିଥିବା ବେଳେ ତାହା ସଫଳ ହୋଇଛି । ଫଳରେ ସୀତାକାନ୍ତ ଏବେ ନୂଆ ଜୀବନ ପାଇପାରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାରିକ କହିଛନ୍ତି । ତେବେ ଆଗମୀ ଭବିଷ୍ୟତରେ ଏହି ଯୁବକଙ୍କ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଅସୁବିଧା ଉପୁଜିବନି । ତାଙ୍କ ଡାହାଣ ହାତ ସମେତ ବାମ ଗୋଡ଼ ମଧ୍ୟ ପୂର୍ବ ପରି କାର୍ଯ୍ୟ କରିବ ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ବିଭୁତି ଭୂଷଣ ନାୟକ । ଡାହାଣ ହାତର ବୁଢ଼ା ଆଙ୍ଗୁଠି କଟି ଯିବା ହେତୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ସୀତାକାନ୍ତ ଏବେ ପୁଣି ଥରେ ହସିବା ଶିଖିଲେଣି । ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଉଦ୍ୟମ ଯୋଗୁ ନୂଆ ଜୀବନ ପାଇ ପାରିଥିବା ଶ୍ରୀ ବାରିକ କହିଛନ୍ତି ।