ଏସସିବିରେ ପହଞ୍ଚିଲା ୨ଟି ଇକମୋ ମେସିନ
କଟକ(ଏନ୍.ଏମ୍.): ସମ୍ପ୍ରତି ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଇକମୋ ବା ଏକ୍ସଟ୍ରା କର୍ପୋରିଲ ମେମ୍ବ୍ରୁନ ଅକ୍ସିଜେନସେନ ୨ଟି ମେସିନ କଟକ ବଡ଼ମେଡ଼ିକାଲ(ଏସସିବି)ରେ ପହଞ୍ଚିଛି । ଏହି ମେସିନ ଏସସିବିର କାର୍ଡିଓଥେରାସିସ ଏଣ୍ଡ ଭସ୍କୁଲାର ସର୍ଜରୀ ବା ସିଟିଭିଏସ ବିଭାଗରେ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଦିଲ୍ଲୀରୁ ଏକ୍ସପୋର୍ଟମାନେ ଆସି ଏସସିବିରେ ଏହି ୨ଟି ନୂତନ ମେସିନକୁ ଖୁବ ଶୀଘ୍ର ଇନଷ୍ଟଲ କରିବେ ବୋଲି ଜଣାପଡ଼ିଛି । ଏହି ୨ଟି ଇକମୋ ମେସିନ ଜର୍ମାନୀରୁ ସରକାରଙ୍କ ପକ୍ଷରୁ କ୍ରୟ କରାଯାଇଛି । ଏହାକୁ ଅପରେଟିଂ କରିବା ପାଇଁ ଡାକ୍ତର ଓ କର୍ମଚାରୀମାନେ ପ୍ରଥମ ପର୍ଯ୍ୟାୟରେ କଲିକତାରେ ଟ୍ରେନିଂ ନେବାକୁ ଯିବେ । ପ୍ରଥମ ପର୍ଯ୍ୟାୟରେ ଗୋଟିଏ କି ଦୁଇ ଦିନ ମଧ୍ୟରେ ୪ଜଣ ନିଶ୍ଚେତକ ଡାକ୍ତରଙ୍କ ସହ ସେବିକା, ଫର୍ମାସିଷ୍ଟ ଏବଂ ଅନ୍ୟ କର୍ମଚାରୀମାନେ ଯିବେ ବୋଲି ସୂଚନା ମିଳିଛି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଟ୍ରେନିଂ ନେବାକୁ ସମସ୍ତଙ୍କ କର୍ମଚାରୀଙ୍କ ସାରଣୀ ପ୍ରସ୍ତୁତ ହୋଇଛି । ଏସସିବିରେ ଅଗଷ୍ଟ ୧୫ରୁ ଏହି ଚିକିତ୍ସା ଆରମ୍ଭ ହେବ । ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ନିଶ୍ଚେତକ ବିଭାଗୀୟ ମୁଖ୍ୟ ଡାକ୍ତର ନିବେଦିତା ପାଣି, ପଲ୍ୟୁମନାରୀ ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ଓ ଭେଷଜ ବିଭାଗୀୟ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା ଏହି ବୈଷୟିକ ଟିମରେ ସଦସ୍ୟ ଅଛନ୍ତି । ରାଜ୍ୟ ସରକାର କରୋନା ରୋଗୀଙ୍କ ଲାଗି ଓଡ଼ିଶାକୁ ଇକମୋ ହବ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ଏସସିବିରେ ମୋଟ ୯ଟି ଇକମୋ ମେସିନ ଆସିବ । ବର୍ତ୍ତମାନ ୨ଟି ମେସିନ ଆସିଛି । ଅନ୍ୟ ୭ଟି ମେସିନ ଜୁଲାଇ ଶେଷ ସୁଦ୍ଧା ଆସିବାକୁ ଆସିବାକୁ ଯୋଜନା ରହିଛି । ତେବେ ଏହି ସମସ୍ତ ମେସିନ ଅଗଷ୍ଟ ୧୫ରେ ପୂରା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି ।