ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ

ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ

ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ


କଟକ(ଏନ୍‌.ଏମ୍‌.): ରାଜ୍ୟର ସର୍ବ ବୃହତ୍ତ ଚିକିତ୍ସା ପ୍ରତିଷ୍ଠାନ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)କୁ ରାଜ୍ୟସରକାର ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ଲାଗି ଯୋଜନା କରିଥିବାବେଳେ ଏଠାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଯନ୍ତ୍ରଣାରେ ଛଟପଟ ହେବା ସହ ଜଣେ ରୋଗୀ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିବା ରାଜ୍ୟର ସ୍ୱାସ୍ଥ୍ୟବିଭାଗର ପାରିବା ପଣିଆକୁ ପଦାରେ ପକାଇଛି ।
ଖବର ନେବାରେ ଜଣାପଡ଼ିଛି ଯେ, ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଏସସିବିର ଅସ୍ଥିଶଲ୍ୟ ବିଭାଗରେ ପ୍ରାୟ ୨୧ ଦିନ ହେବ ପଡି ରହିଛନ୍ତି । ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କର ଚିକିତ୍ସା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏଭଳି ଅବସ୍ଥା ଲାଗି ରହିଥିବାବେଳେ ସେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ, ଏସସିବି ଅଧୀକ୍ଷକଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠି ଲେଖି ଜଣାଇଥିଲେ ମଧ୍ୟ ତାଙ୍କର ଏ ପର୍ଯ୍ୟନ୍ତ ଚିକିତ୍ସା ଆରମ୍ଭ ହେଉନାହିଁ । ଏହାର କାରଣ ପଚାରିଲେ ଡାକ୍ତରମାନେ ମଧ୍ୟ ସଠିକ ଉତ୍ତର ଦେଉନାହାନ୍ତି । ତେବେ ଏସସିବିରେ ହେଉଥିବା ଏଭଳି ଅବହେଳାକୁ ପ୍ରତିବାଦ କରି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅନ୍ୟପକ୍ଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦୁଷ୍ମନ୍ତ ଇଚ୍ଛାମୃତ୍ୟୁ ନିମନ୍ତେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ବୋଲି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଆହତ ଦୁଷ୍ମନ୍ତ ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖ ରାତିରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ଫଳରେ ତାଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଥିବାରୁ ଚିିକିତ୍ସା ଲାଗି ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୨୩ରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦୁଷ୍ମନ୍ତଙ୍କ ଗୋଡର ଅସ୍ତ୍ରୋପଚାର କରାଯାଇଥିଲା । ବାମ ଜଙ୍ଘରୁ ମାଂସ କାଟି ଡାକ୍ତରମାନେ କ୍ଷତବିକ୍ଷତ ସ୍ଥାନରେ ପକାଇ ଗୋଡରେ ଅସ୍ତ୍ରୋପଚାର କରିଥିଲେ । କିଛି ଦିନ ପରେ ତାଙ୍କୁ ଘରକୁ ଚାଲି ଯିବାକୁ ଡାକ୍ତରମାନେ କହିଥିଲେ । ବିଶ୍ରାମ ନେଲେ ଗୋଡ ଭଲ ହୋଇଯିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଗୋଡଟି ଭଲ ହୋଇ ନଥିଲା । ଫଳରେ ଗୋଡଟି ଅଚଳ ହେବାକୁ ଲାଗିଥିଲା । ଏହାପରେ ଜୁନ ୨୦ ତାରିଖରେ ପୁଣି ଥରେ ଏସସିବିକୁ ଆସି ଚିକିତ୍ସା ଲାଗି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ଆଉ ଏକ ଅସ୍ତ୍ରୋପଚାର ହେବ ଜଣାଇଥିଲେ । ଆଣ୍ଠୁ ଭାଙ୍ଗି ହୋଇ ନପାରେ ହେଲେ ଚାଲିପାରିବେ ବୋଲି ଦୁଷ୍ମନ୍ତଙ୍କୁ କୁହାଯାଇଥିଲା । ଦ୍ୱିତୀୟ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇ ଯିବେ । କରୋନା ମହାମାରୀ ଯୋଗୁଁ ଦ୍ୱିତୀୟ ଅସ୍ତ୍ରୋପଚାର ପରେ ତୁରନ୍ତ ଦୁଷ୍ମନ୍ତଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା । ହେଲେ ଗୋଡଟି କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ଦିନକୁ ଦିନ ଅକ୍ଷମ ହେବାକୁ ଲାଗିଥିଲା । ଏହା ଦେଖି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକତ୍ସା ଲାଗି ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର କହିଥିଲେ ଯେ, ଏସସିବିରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଛି । ଫଳରେ ଗୋଡର ସ୍ପର୍ଶଜନିତ ଶିରାଟି ଯୋଡା ହୋଇନାହିଁ । ଏସସିବିରେ ଦୁଇଥର ଅସ୍ତ୍ରୋପଚାର କରିସୁଦ୍ଧା ଡାକ୍ତରମାନଙ୍କ ତ୍ରୁଟି ଯୋଗୁଁ ଦୁଷ୍ମନ୍ତଙ୍କ ଗୋଡ ଅଚଳ ହୋଇ ପଡିଥିଲା । ସହାୟତା ସମେତ ତାଙ୍କ ଗୋଡର ଚିକିତ୍ସା ବ୍ୟବସ୍ଥା କରାଇବା ଲାଗି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଦିନ ତଳେ ଏକ ଚିଠି ଲେଖିଥିଲେ । ଏହାଛଡା ତାଙ୍କ କୁନି ଝିଅ ଦେବାଂଶୀ ମଧ୍ୟ ଏକ ଭିଡିଓ ମାଧ୍ୟରେ ବାପାଙ୍କୁ ସୁସ୍ଥ କରିଦେବା ଲାଗି ନିବେଦନ କରିଥିଲେ । ଉକ୍ତ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏସସିବି ଅଧୀକ୍ଷକଙ୍କୁ ଚିଠି ଲେଖି ଦୁଷ୍ମନ୍ତଙ୍କ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁଷ୍ମନ୍ତଙ୍କୁ ଏସସିବିରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ଚିକିତ୍ସା ଆରମ୍ଭ ହୋଇନଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଏନେଇ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ