ଏନଆରଆରଆଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ

#କଟକ(ଏନ୍.ଏମ୍.): କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନଆରଆରଆଇ)ରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତକୁ ଆଖି ଆଗରେ ରଖି ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରପତି ଓ ରାଜ୍ୟପାଳ କେତେକ ପୁସ୍ତକ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଲେ ଯେ, ଦେଶରେ ଖାଦ୍ୟସୁରକ୍ଷା ଯୋଜନା ଭଳି ଯେଉଁ ବଳିଷ୍ଟ ପଦକ୍ଷେପ ଗ୍ରହଣ କରାଯାଇଛି ତାହା କେବଳ ସମ୍ଭବ ହୋଇଛି ଆମ ଦେଶର କୃଷକମାନଙ୍କ ପାଇଁ । ସମ୍ପ୍ରତି ଦେଶରେ କୃଷକମାନଙ୍କ ଯୋଗୁଁ ଖାଦ୍ୟର ଅଭାବ ଦୂର ହୋଇ ପାରିଛି । ସବୁଠାରୁ ବଡ଼ କଥା ହେଲା ଅଧିକ ଅମଳକ୍ଷମ ଧାନ ଉତ୍ପାଦନ । ବୈଜ୍ଞାନିକ ପଦ୍ଧତିରେ କୃଷି ଓ କୃଷକମାନଙ୍କୁ ସଶକ୍ତିକରଣ କରିବା କ୍ଷେତ୍ରରେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ । ଆମର ବୈଜ୍ଞାନିକମାନେ ଅବିରତ ଉଦ୍ୟମ କରି ନୂଆ ନୂଆ ଧାନ ଉଦ୍ଭାବନ କରି କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ଏହି ଅନୁଷ୍ଠାନ ୪୫ପ୍ରକାର ନୂତନ ପ୍ରଜାତିର ଧାନ ଉଦ୍ଭାବନ କରି ଅମଳକ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି । ସେ ଆହୁରି କହିଛନ୍ତି, ଯୁବ ବୈଜ୍ଞାନିକ, ବିଶେଷ କରି ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି। ବିଭିନ୍ନ ପୂଜାପର୍ବାଣୀରେ ଧାନର ଭୂମିକା ଅନସ୍ବୀକାର୍ଯ୍ୟ। ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି। ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି। ଏଣୁ ଇକୋଫ୍ରେଣ୍ଡଲି ଉପାୟରେ ଧାନ ଉତ୍ପାଦନ କରିବା ଦିଗରେ କୃଷି ବୈଜ୍ଞାନିକମାନଙ୍କ ଉଦ୍ୟମ ଲୋଡ଼ା। ଆମ ବୈଜ୍ଞାନିକମାନେ ଏଥିପାଇଁ କାର୍ଯ୍ୟ କରିବେ ବୋଲି ମୋର ଆଶା ଅଛି। ଠିକ୍ ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି। ଜଳବାୟୁ ପରିବର୍ତ୍ତନ ବି ଏଥିରେ ଅନ୍ତରାୟ ସୃଷ୍ଟି କରୁଛି। ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସ ଦେଶର କୃଷି ପାଇଁ ଅଧିକ ଗୁରୁତ୍ୱ ବହନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଭାରତୀୟ କୃଷି ଅନୁସନ୍ଧାନର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ସ୍ଵାଗତ ଭାଷଣ ଦେଇ ଏହି ଅଧିବେଶନର ମୂଳ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଡକ୍ଟର ଏ କେ ନାୟକ ଓ ଏ ଆର ଆର ଡବ୍ଲୁ ସଭାପତି ପି କେ ଅଗ୍ରୱାଲ ପ୍ରମୁଖ ବି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୧ରୁ ୧୪ତାରିଖ ଯାଏ ୪ ଦିନ ଧରି ଚାଲିବାକୁ ଥିବା ରାଇସ କଂଗ୍ରେସରେ ଦେଶ ବିଦେଶରୁ ପ୍ରାୟ ୩୫୦ ଜଣ କୃଷି ବୈଜ୍ଞାନିକ ମଧ୍ୟ ଯୋଗ ଦେଇଛନ୍ତି । ଫିଲିପାଇନ୍ସ, ଆଫ୍ରିକା ସମେତ କେତେକ ରାଷ୍ଟ୍ରର ବୈଜ୍ଞାନିକ ବି ଯୋଗ ଦେଇଛନ୍ତି ।