ରଥଯାତ୍ରା ପାଇଁ ଚୁଡ଼ାନ୍ତ ହେଲା ନୀତି ନିଘର୍ଣ୍ଟ
ପୁରୀ(ଏନ୍.ଏମ୍.): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହାରି ଭିତରେ ରହିଛି ଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ନୀତି ଆଦି କାର୍ଯ୍ୟକ୍ରମର ସମୟ ସାରଣୀ ପ୍ରସ୍ତୁତ ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍ନାନଯାତ୍ରା ପାଇଁ ରାତି ଗୋଟାଏରେ ମଙ୍ଗଳାର୍ପଣ ହେବ ଏବଂ ୪ଟା ପର୍ଯ୍ୟନ୍ତ ପହଣ୍ଡି ହେବ । ସ୍ନାନ ପୂର୍ଣ୍ଣିମା ଦିନ ହାତୀ ବେଶ ଦିନ ୧୧ଟାରୁ ୧୨ ଭିତରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ସ୍ନାନ ପୂର୍ଣ୍ଣିମାରେ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି ହେବ । ଆସନ୍ତା ଜୁଲାଇ ୧୨ ତାରିଖ ଦିନ ରଥଯାତ୍ରା ହେବ । ଶ୍ରୀ ଗୁଣ୍ଡିଚା ଦିନ ପହଣ୍ଡି ସକାଳ ସାଢ଼େ ୮ଟା ଟାରୁ ଆରମ୍ଭ ହେବ । ଗଜପତି ମହାରାଜ ଅପରାହ୍ଣ ୨ଟାରେ ଛେରା ପହଁରା କରିବେ । ଏହା ପରେ ଦ୍ୱିପହର ୩ଟାରୁ ରଥ ଟଣା କାର୍ଯ୍ୟକ୍ରମ ହେବ । ସେହିପରି ବାହୁଡ଼ା ଦିନ ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ପହଣ୍ଡି ହେବ ଏବଂ ଅପରାହ୍ଣ ୪ଟାରୁ ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।