ଉଡାଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବନମହୋତ୍ସବ
କଟକ(ଏନ୍.ଏମ୍.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଡାଣ, କଟକ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ସହଯୋଗରେ ୭୨ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ୟାପକ ବୃକ୍ଷରୋପଣ ଦ୍ୱାରା ସୁସ୍ଥ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରେଭେନ୍ସା କଲିଜିଏଟ ସ୍କୁଲ ପରିସରରେ ଉଡାଣ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ କଟକ ଡିଭିଜନ ଡିଏଫଓ ସଞ୍ଜୟ ସ୍ୱାଇଁ ଏବଂ ଉଡାନ ସବୁଜ ବାହିନୀ ବୃକ୍ଷରୋପଣ କରିଥିଲେ । ସେହିଭଳି ଆଜି ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ସିଏମସି କମିଶନର ଅନନ୍ୟା ଦାସ ଯୋଗଦେଇ ଏନସିସି କ୍ୟାଡେଟମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଇଥିଲେ । ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ୩୦ଟି ଉଚ୍ଚ ବିଦ୍ୟାଳୟରେ ଉଡାଣ ସହଯୋଗରେ ବନୀକରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୃକ୍ଷରୋପଣକୁ ଉଡାଣର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୀତା ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଛି ।