ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
କଟକ(ଏନ୍.ଏମ୍.): ରାଜ୍ୟ ସରକାରଙ୍କ ପରିଚାଳନାଧିନ ଉଠା ଜଳସେଚନ ନିଗମରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶତାଧିକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ପ୍ରଦାନ କରାଯାଇନାହିଁ । ନିଗମ କର୍ତୃପକ୍ଷ ଅନେକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ୨୦୧୮-୧୯ ମସିହା ପର୍ଯ୍ୟନ୍ତ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେହି ପ୍ରାପ୍ୟ ଦେବା ବନ୍ଦକରି ଦେଇ ଥିଲେ । କର୍ତ୍ତୃପକ୍ଷଙ୍କ ଏହି ଅନ୍ୟାୟ ପଦକ୍ଷେପକୁ ବିରୋଧ କରି ଅଲ୍ ଓଡିଶା ଇପିଏଫ ପେନସନରସ୍ ଆସୋସିଏସନ ତରଫରୁ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ପ୍ରଦାନ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ଏଣୁ ନ୍ୟାୟ ପାଇବା ପାଇଁ ଆସୋସିଏସନ୍ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା । ବିଚାରପତି ବିଦ୍ୟୂତ ରଞ୍ଜନ ଷଡ଼ଙ୍ଗୀଙ୍କ ଖଣ୍ଡ ପୀଠ ମାମଲାର ଶୁଣାଣି କରି ନିଗମ କର୍ତୃପକ୍ଷଙ୍କୁ ଆସନ୍ତା ତିନି ମାସ ମଧ୍ୟରେ ଏ ବାବଦରେ ଆଇନ ଅନୁଯାୟୀ ବିଚାର କରି ନିଷ୍ପତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସୋସିଏସନ୍ର ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ଉପରୋକ୍ତ ଆଦେଶର ନକଲ ସହ ଏକ ଦରଖାସ୍ତ ପ୍ରଦାନ କରି ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅନ୍ୟ ମାନଙ୍କ ଭଳି ସେମାନଙ୍କ ଅସ୍ଥାୟୀ ଗ୍ରାଚ୍ୟୁଇଟି ପ୍ରଦାନ କରିବା ପାଇଁ ଅବଗତ କରାଇଛନ୍ତି । ଉଚ୍ଚ ନ୍ୟାୟାଳୟରେ ଆସୋସିଏସନ୍ ପକ୍ଷରୁ ଲଳିତ ମୋହନ ନନ୍ଦ ଏହି ମାମଲା ପରିଚାଳନା କରୁଥିଲେ ।