ଇପିଏଫ୍ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ
କଟକ(ଏନ୍.ଏମ୍.): ଇପିଏଫ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ କେଲବା ବିଚ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଇପିଏଫ୍ ପେନସନର୍ସ ମାନଙ୍କର ସର୍ବଭାରତୀୟ ସଙ୍ଗଠନ ଇପିଏସ୍-୯୫ ନ୍ୟାସନାଲ କୋଅର୍ଡିନେସନ କମିଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଓଡ଼ିଶା ସମେତ ଦେଶର ୨୦ରୁ ଉର୍ଦ୍ଧ୍ୱ ରାଜ୍ୟରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ଓଡ଼ିଶାରୁ ସଙ୍ଗଠନର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ଓ କାର୍ଯ୍ୟକାରିଣୀ କମିଟି ସଭ୍ୟ ବିକ୍ରମ ଛୋଟରାୟ ଯୋଗ ଦେଇଥିଲେ ।
ଏହି ବୈଠକରେ ସର୍ବନିମ୍ନ ପେନସନ ମାସିକ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା ଦେବା, ସୁପ୍ରୀମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା ଏବଂ ଦେଶର ସମସ୍ତ ଇପିଏଫ୍ ପେନସନ ଉପଭୋକ୍ତା ବରିଷ୍ଠ ନାଗରିକମାନଙ୍କୁ ସରକାରଙ୍କର ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରି ନିଶୁଳ୍କ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି କେନ୍ଦ୍ର ସରକାର ଓ ଇପିଏଫ୍ କର୍ତୃପକ୍ଷ ଧ୍ୟାନ ଦେଉନଥିବାରୁ ବୈଠକରେ ଘୋର ଉଦବେଗ ପ୍ରକାଶ ପାଇଥିଲା । ଏ ବାବଦରେ ବିଶଦ ଆଲୋଚନା ହେବା ପରେ କେନ୍ଦ୍ର ସରକାର ତୁରନ୍ତ ଦାବି ପୂରଣ ନକଲେ ଆଗାମୀ ଦିନରେ ଦେଶସାରା ଯୋରଦାର ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ କେନ୍ଦ୍ରୀୟ ଭବିଷ୍ୟନିଧି ସଙ୍ଗଠନର ଦିଲ୍ଲୀ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଦିଲ୍ଲୀର ଜନ୍ତରମନ୍ତରଠାରେ ଗଣଧାରଣା ଦିଆଯିବା ଲାଗି ମଧ୍ୟ ନିଷ୍ପତି ହୋଇଛି । ପ୍ରକାଶ ୟେଣ୍ଡେଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସାଧାରଣ ସମ୍ପାଦକ ପ୍ରକାଶ ପାଠକ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ଭୀମ ରାଓ ଡୁଙ୍ଗରେ, କାର୍ଯ୍ୟକର୍ତ୍ତା ପୁଣ୍ଡଳିକ ପାଣ୍ଡେ, ଦାଦା ତୁକାରାମ ଜୋଡେ, ଚନ୍ଦ୍ର ଶେଖର ପରସାଇ, ଭି.ରେଣୁକୁମାର ତଥା ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ କେନ୍ଦ୍ର ସରକାରଙ୍କ ଇପିଏଫ୍ ପେନସନର୍ସ ମାରଣ ନୀତିର ନିନ୍ଦା କରିବା ସହ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରିବା ଲାଗି ଆହ୍ୱାନ ଦେଇଥିଲେ । ଏହି ଅବସରରେ ଓଡ଼ିଶା ପେନସନର୍ସ ଆସୋସିଏସନର କାର୍ଯ୍ୟକ୍ରମକୁ ବୈଠକରେ ଉଚ୍ଚ ପ୍ରଶଂସା କରାଯିବା ସହ ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ଓ ବିକ୍ରମ ଛୋଟରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଲଘର ଜିଲ୍ଲା ସଭାପତି ଧନ୍ୟବାଦ ଦେଇଥିଲେ ।