ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ଆସନ୍ତା କାଲି ପାଳନ ହେବ ସଂଖ୍ୟାଲଘୁ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌-ଉଲ୍ ଫିତର । ଏ ନେଇ ଆଜି ସଂଧ୍ୟାରେ କଟକ ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତେବେ ଘୋଷଣା ପରେ ଏବେ କଟକ ସହରର ସବୁସ୍ଥାନରେ ପ୍ରସ୍ତୁତି ଜୋରଦାର ଚାଲିଛି । ସତେ ଯେମିତି ନବବଧୁ ବେଶରେ କଟକ ସଜେଇ ହେବା ଆରମ୍ଭ ହୋଇଛି । ସୁସଜ୍ଜିତ ଆଲୋକ ମାଳାରେ ଝଲସିଲାଣି କଦମ ଏ ରସୁଲ । ବଜାରରେ ବି ଜମିଲାଣି ଭିଡ଼ । ବିଭିନ୍ନ ଦେଶୀ ଓ ବିଦେଶୀ ଜିନିଷ ସାଙ୍ଗକୁ ଲଚ୍ଛା, ଖଜୁର, ଅତର ଦୋକାନରେ ଏବେ ଲାଗିଛି ଭିଡ । ଆନନ୍ଦ ଉଲ୍ଲାସର ପର୍ବ ଇଦ ଉଲ ଫିତର ପାଇଁ ଭାଇଚାରାର ସହର କଟକରେ ଜମିଲାଣି ମାହୋଲ । ସଜେଇ ହେଲାଣି ବିଭିନ୍ନ ମସଜିଦ । ଇଦ ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏକ ମାସ ବ୍ୟାପି ଓଷା ଉପବାସ ପରେ ଇଦରେ ଘରେ ଘରେ ଜମିବ ଖାଦ୍ୟପେୟର ଆସର । ତେବେ ଆଜି ସାଉଦି ଆରବରେ ଇଦ ପାଳନ ହେଉଛି । ଚାନ୍ଦ କମିଟିର ବୈଠକ କଟକରେ ଅନୁଷ୍ଠିତ ହେବା ପରେ ଶନିବାର ଇଦ ପାଳନ ହେବ ବୋଲି କଦମ ଏ ରସୁଲ ପରିଚାଳନା କମିଟି ସଭାପତି ରମଜାନ ଖାନ କହିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ସାମଗ୍ରୀ କିଣାକିଣି ପାଇଁ ଏବେ ଇଦ ମାର୍କେଟରେ ବଢ଼ିଛି ଗହଳି ଚହଳି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମୁମ୍ବାଇ, କୋଲକାତା ସହ ଟ୍ୟୁନିସିଆ, ଇରାକ ଓ ସାଉଦି ଆରବ, ଆଫଗାନିସ୍ତାନରୁ ଆସିଛି ଭଳିକି ଭଳି ସାମଗ୍ରୀ । ତେବେ କୋଲକାତାର ପ୍ରସିଦ୍ଧ କରୋଡିଆ ଆଫଲାତୁନ, ଗାଜର ହଲୁଆ ଏବଂ ମସାକ୍ ହାଲୁଆ ରହିଛି ଅଧିକ ଡ଼ିମାଣ୍ଡ । ଏହାସହ ଅଜମେରୀ, ମଦିନା ଏବଂ ବରେଲି ଟୋପି ସହ ୭୦ ପ୍ରକାରର ଅତର ବିଭିନ୍ନ ଦେଶରୁ ଆସିଛି ବଜାରକୁ । ଆଉ ଦର ଭଲ ରହିଥିବାରୁ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ । ଏହାସହ କଟକର ଥିବା ପ୍ରମୁଖ ମସଜିଦ ଯେପରି କଦମ ଏ ରସୁଲ, ଇଦ୍ଗା, ବଡି ମସଜିଦ, ଛୋଟୀ ମସଜିଦ, ପଲଟନ ମସଜିଦ, ଜାମା ମସଜିଦ ଆଦିରେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସେହିଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରରେ ୨୦ ପ୍ଲାଟୁନ ମୁତୟନ କରାଯିବା ସହ ପେଟ୍ରୋଲିଂ ମଧ୍ୟ ଜାରି ରହିଛି । ସୋସିଆଲ ମିଡ଼ିଆ ଉପରେ ଖାସ କରି ନଜର ରହିଛି । ଏହାସହ କୌଣସି ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି କଟକ ଡ଼ିସିପି ପିନାକ ମିଶ୍ର । ତେବେ କଟକ ଭଳି ଭାଇଚାରାର ସହରରେ ସେଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି ବୁଦ୍ଧିଜୀବୀ ମୁରବୀମାନେ ମଧ୍ୟ ମତ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ