ଇଓଡବ୍ଲ୍ୟୁ ଦ୍ୱାରା ପୁଣି ଜଣେ ବାବା ଓ ତାଙ୍କ ସହଯୋଗୀ ଗିରଫ: ଠକି ନେଇଥିଲେ ୩କୋଟି
କଟକ(ଏନ୍.ଏମ୍.): ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) । ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଏହି ଆତ୍ମଘୋଷିତ ବାବାଙ୍କ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜକୁ ଗିରଫ କରାଯାଇଛି । ବାବାଙ୍କ ସହିତ ଜଣେ ବିଟେକ୍ ଇଞ୍ଜିନିୟରଚନ୍ଦନ ଆକାଶ ମହାନ୍ତଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଇୱଡବ୍ଲ୍ୟୁ ଗିରଫ କରିଛି । ବିଜୟାନନ୍ଦଙ୍କୁ କଟକର ସିଡିଏ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଚନ୍ଦନ ଆକାଶ ମହାନ୍ତଙ୍କୁ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି । ଓଟିଡିସି ଅଧିକାରୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଚନ୍ଦନ ଆକାଶ ମହାନ୍ତି ପୂର୍ବରୁ ଓଟିଡିସିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଠିକାରେ ନିଯୁକ୍ତି ପାଇଥିଲେ । ତେବେ ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କ ଠାରୁ ସେ ବିପୁଳ ପରିମାଣରେ ଅର୍ଥ ଠକି ନେଇଥିଲେ । ଓଟିଡିସିର ମିଛ ୱାର୍କ ଅର୍ଡର ଦେଇ ସେ ଏହି ସ୍ପେଶାଲ୍ କଣ୍ଟ୍ରାକ୍ଟରଙ୍କଠାରୁ ଟଙ୍କା ନେଇ ଯାଇଥିଲେ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ତଦନ୍ତରୁ ଜଣାପଡ଼ିଥିଲା ଯେ କରୋନା ସମୟରେ ଏହି ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ଆତୁର ହୋଇଥିଲେ କାମ ପାଇବାକୁ । ଏହାର ସୁଯୋଗରେ ୨୦୨୦ ମେ’ ମାସରେ ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ସହିତ ପରିଚୟ କରାଇଥିଲେ । ବିଜୟାନନ୍ଦ ନିଜକୁ ଓଟିଡିସିର ଅଧ୍ୟକ୍ଷ ଓ ଆଇଟିଡିସିର ସଦସ୍ୟ ଭାବେ ଦର୍ଶାଇଥିଲେ । ଏହାପରେ ସେ ଚନ୍ଦନ ସହିତ ତାଙ୍କର କଣ୍ଟ୍ରାକ୍ଟରଙ୍କ ପରିଚୟ କରାଇଥିଲେ । ସେତେବେଳେ ଚନ୍ଦନ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ । ପରବର୍ତ୍ତୀ ସମୟରେ ଓଟିଡିସି ଅଧିକାରୀଙ୍କ ସିଲ୍ ଓ ହସ୍ତାକ୍ଷର ବ୍ୟବହାର କରି ବିଜୟାନନ୍ଦ ଓ ଚନ୍ଦନ କଣ୍ଟ୍ରାକ୍ଟରଙ୍କୁ ମିଛ ୱାର୍କ ଅର୍ଡର ଦେଇଥିଲେ । ଏଥି ପାଇଁ ଦୁହେଁ କଣ୍ଟ୍ରାକ୍ଟରଙ୍କ ଠାରୁ ୩ କୋଟି ଟଙ୍କା ଠକି ନେଇଥିଲେ । ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନ ଆକାଶ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲାବେଳେ ବାକି ଟଙ୍କା ଆତ୍ମଘୋଷିତ ବାବାଙ୍କ ଆକାଉଣ୍ଟକୁ ଯାଇଥିଲା ।