ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ
ଭୁବନେଶ୍ୱର(ଏନ୍.ଏମ୍.): କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଛନ୍ତି । ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇ ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନକୁ ବୃଦ୍ଧି କରାଯାଇଛି । ଏନେଇ ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକଡାଉନ୍ । ସପ୍ତାହାନ୍ତ ସଟଡାଉନ କଟକଣା ପୂର୍ବଭଳି ଜାରି ରହିବ । ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ । ସେଲୁନ୍, ମହଲ୍ ଓ ପାର୍ଲର ବନ୍ଦ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ତେବେ ରାଜ୍ୟର ୩ ଜିଲ୍ଲାରେ କଟକଣା କୋହଳ କରାଯାଇଛି । ସେହି ୩ ଜିଲ୍ଲା ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ୩ ଜିଲ୍ଲାରେ ଲୋକମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ । ଯଦି ଲୋକମାନେ ନିୟମ ଠିକ୍ ଭାବେ ପାଳନ ନକରିବେ, ତାହାହେଲେ କଟକଣା ଆହୁ କଠୋର କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ମେ ୨୨ ତାରିଖରେ ସର୍ବାଧିକ ୧୨,୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ବାତ୍ୟା ୟାସ୍ ପାଇଁ କୋଭିଡ ପରୀକ୍ଷା ହ୍ରାସ କରାଯାଇଥିବାରୁ କରୋନା ପଜିଟିଭ ସଂଖ୍ୟା କମିଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ମଧ୍ୟ ସଂକ୍ରମଣ ହ୍ରାସ ପାଇଛି । ଆଜି ରାଜ୍ୟରେ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଛନ୍ତି । ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ବୋଲି ଆଜି ଏସିଏସ୍ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସେପଟେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିଛି । ଏହା ଆମ ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ମଧ୍ୟ ବିପଦ ରହିଛି । ସେଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାକୁ ସିଲ୍ କରାଯାଇଛି ବୋଲି ଏସିଏସ୍ କହିଛନ୍ତି । ରାଜ୍ୟର ମୋଟ୍ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦ପ୍ରତିଶତ ରହିଛି । ୯ ଜିଲ୍ଲା- ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ ଜିଲ୍ଲା । ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪ ପ୍ରତିଶତରେ ପହଞ୍ଚିଛି । ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମୁଛି; ୫ ଜିଲ୍ଲାରେ ୫ପ୍ରତିଶତ ତଳେ ରହିଛି ବୋଲି ଏସିଏସ୍ କହିଛନ୍ତି ।